ଶ୍ରୀମନ୍ଦିରରେ ଦଶହରା ଓ ଆୟୁଧ ପୂଜା ନୀତି ସମ୍ପନ୍ନ

ପୁରୀ: ସୋମବାର ଆଶ୍ୱିନ ଶୁକ୍ଳ ଦଶମି ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ମାନ ପାଳିତ ହୋଇଅଛି। ସକାଳ ୭.୩୫ ରେ ଅବକାଶ ବଢିବା ପରେ, ସକାଳ ୭.୫୦ ରେ ସର୍ବାଙ୍ଗ ଚନ୍ଦନ ଲାଗି ହୋଇ, ନୂଆଲୁଗା ଲାଗି ହୋଇଥିଲେ। ଏଥିରେ ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ ୯.୨୫ ରେ ହୋଇଥିଲା। ଏଥିରେ ୫ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥିଲା। ଏହାପରେ ପାଣିପଡି ସକାଳ ୧୦ ଟାରେ ଗୋପାଳବଲ୍ଲଭ ,୧୦.୩୦ ରେ ସକାଳଧୂପ ସାରିଲାପରେ, ଭଣ୍ଡାର ଦୁଆର ଠାରେ ପୂଜାରେ ବସିଥିବା ଆୟୁଧ ମାନଙ୍କୁ ମହାସ୍ନାନ କରାଯାଇଥିଲା , ବରୁଣ ପୂଜା ପରେ ସହସ୍ରାକୁମ୍ଭାଭିଷେକ ନୀତି ହୋଇ ୬ ଜଣ ମେକାପ ୩ ଟି ରୁପା ଥାଳିରେ ଆୟୁଧ ମାନଙ୍କୁ ନେଇ ଘଣ୍ଟ , ଛତା, କାହାଳୀ ପଟୁଆରରେ ମନ୍ଦିର ମଧ୍ୟରେ ୩ ବେଢ଼ା ପରିକ୍ରମା ପରେ, ଭିତର ସିଂହାସନକୁ ଆୟୁଧ ମାନଙ୍କୁ ବିଜେ କରିଥିଲେ। ପାଳିଆ ପୁଷ୍ପାଳକ ଆୟୁଧ ଲାଗି କରିଥିଲେ। ବଡ ବାଡ଼ରେ ହଳ ମୂଷଳ , ମଝି ବାଡ଼ରେ ତଡଗୀ ,ମହାପ୍ରଭୁ ଙ୍କ ବାଡ଼ରେ ଶଙ୍ଖ,ଚକ୍ର ଲାଗି କରିଥିଲେ। ସେପଟେ ଦକ୍ଷିଣୀ ଘରେ ମଦନମୋହନ, ରାମକୃଷ୍ଣ ବୀର ବେଶ ହୋଇ ସିଂହାସନକୁ ବିଜେ କରିଥିଲେ। ସେଠାରେ ମଙ୍ଗଳlର୍ପଣ ୧.୩୦ ରେ ବଢିଲା ପରେ ଆଜ୍ଞାମାଳ ପାଇ ପାଞ୍ଚ ଠାକୁର ପାଲିଙ୍କି , ରଥ ଓ ବିମାନକୁ ୧.୪୦ ରେ ବିଜେ କରିଥିଲେ। ପାଲିଙ୍କିରେ ରାମ କୃଷ୍ଣ ,ରଥରେ ଦୁର୍ଗା ମାଧବ ଓ ବିମାନରେ ମଦନମୋହନ ବିଜେ ହୋଇ ଘଣ୍ଟ , ଛତା , କାହାଳୀ ବଜନ୍ତୀ ପଟୁଆର ରେ ସିଂହଦ୍ୱାର ଦେଇ ମହାଖଳାକୁ (ଶ୍ରୀଜଗନ୍ନାଥ ବଲ୍ଲବ ମଠ) ୨.୪୫ ରେ ବିଜେ କରିଥିଲେ ।ସେଠାରେ ପ୍ରସାଦଲାଗି, ଭୋଗ ବନ୍ଦାପନା ପରେ ଅପରାହ୍ନ ୪.୧୫ ରେ ବାହୁଡା ବେଜେ ହୋଇ ମାଧବ ସିଂହାସନକୁ , ଦୁର୍ଗା ଭଣ୍ଡାରକୁ, ରାମକୃଷ୍ଣ, ମଦନମୋହନ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ । ଏହା ପରେ ମହାପ୍ରଭୁଙ୍କ ଦୈନ ଦିନ ନୀତି ଅନୁଷ୍ଠିତ ହୋଇଥିଲା।

Comments are closed.