ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ; ଶ୍ରୀମନ୍ଦିର ଚାରିପଟେ ୧୪୪ ଲାଗୁ

ପୁରୀ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ। ରାତି ୨ଟାରୁ ବେଶ ଉଲାଗି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହାପରେ ଶ୍ରଦ୍ଧାଳୁ ସିଂହଦ୍ବାର ସମ୍ମୁଖକୁ ଯାଇ ପତିତପାବନଙ୍କୁ ଦର୍ଶନ କରିପାରିବେ। ବଡ଼ଦାଣ୍ଡର ମରୀଚିକୋଟ୍‌ ଛକରୁ ସିଂହଦ୍ବାର ଏବଂ ମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରାଯାଇଛି। ଏହାଛଡା ଦୋଳମଣ୍ଡପସାହିର ଜହ୍ନିମୁଣ୍ଡିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ମାର୍କେଟ ଛକ, ମରିଚିକୋଟ୍‌ ଛକ, ଜହ୍ନିମୁଣ୍ଡିଆ ଛକ, ନାରାୟଣୀ ଛକ, ଗାଣ୍ଡୁଆଚଉରା ଛକ, ଖଜାପଟି, ପାଣିଟାଙ୍କି ଛକ ସମେତ ବାସେଳିସାହି ପ୍ରବେଶ ପଥରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ସେବକ ଏବଂ କର୍ମଚାରୀଙ୍କ ମୋବାଇଲ ଫୋନ୍‌ ଯାଞ୍ଚ ନିମନ୍ତେ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଭିଡ଼ିଓ ରେକର୍ଡିଂ ଏବଂ ଫଟୋ ଉତ୍ତୋଳନ ଉପରେ ନିଷେଧାଦେଶ ଜାରି କରିଛି ମନ୍ଦିର ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜନ କରାଯାଇଥିବା ଏସ୍‌ପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ୨ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୭ ଡିଏସ୍‌ପି, ୧୯ ଇନ୍ସପେକ୍ଟର, ୭୭ ଏଏସ୍ଆଇ, ୨୫୦ ଗୃହରକ୍ଷୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ମନ୍ଦିର ଚତୁଃପାର୍ଶ୍ବରେ ଏକାଧିକ ଲୋକଙ୍କ ସମାଗମ ଏବଂ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି। କୌଣସି ଅଣସେବକ ଶ୍ରୀମନ୍ଦିର ଭିତରେ ଯେପରି ପ୍ରବେଶ କରିନପାରିବେ ସେଥିପାଇଁ ସିଂହଦ୍ବାର, ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଏବଂ ଉତ୍ତରଦ୍ବାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ କର୍ଡନ ମଧ୍ୟରେ ହରଚଣ୍ଡୀସାହିରୁ ଶ୍ରୀମନ୍ଦିରକୁ ନାଗାର୍ଜୁନ ବେଶ ସାମଗ୍ରୀ ଅଣାଯିବ। ମନ୍ଦିର ଭିତରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ କଟକଣା ଦୃଷ୍ଟିରୁ ଜନସମାଗମ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ୧୪୪ଧାରା ଜାରି ହୋଇଥିବାରୁ ଶୁକ୍ରବାର ସକାଳୁ ନାଗାର୍ଜୁନ ବେଶ ଉଲାଗି ନହେବା ଯାଏ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଛଡାଯିବ ନାହିଁ। ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଯାଉ ନଥିବା ଜିଲାପାଳ ବଲୱନ୍ତ ସିଂହ ଭିଡିଓ ବାର୍ତ୍ତାଯୋଗେ ପ୍ରକାଶ କରିଛନ୍ତି। ରଥଯାତ୍ରା ପରି ନାଗାର୍ଜୁନ ବେଶରେ ସ୍ଥାନୀୟ ଅଧିବାସୀ ପ୍ରଶାସନକୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ନାଗାର୍ଜୁନ ବେଶକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ୍‌ କଟକଣା ଭିତରେ ଦର୍ଶନ ସୁବିଧା ଦେବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ତରଫରୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲାଗି ଯେଉଁ ଆବେଦନ କରାଯାଇଥିଲା ତାହାର ଶୁଣାଣି ହୋଇପାରିନାହିଁ। ଆସନ୍ତାକାଲି ନାଗାର୍ଜୁନ ବେଶ ହେବାକୁ ଥିବାବେଳେ ଆଜି ଶୁଣାଣି ହୋଇ ନ ପାରିବା ଓ ଆସନ୍ତାକାଲି ପାଇଁ ମଧ୍ୟ ଶୁଣାଣି ତାଲିକାରେ ଏହା ନ ରହିବା ଦର୍ଶନାର୍ଥୀଙ୍କ ଦର୍ଶନ ଆଶାକୁ ମଉଳାଇ ଦେଇଛି।

Comments are closed.