ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ

ପୁରୀରେ ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନ ପ୍ରସଙ୍ଗ

ନୂଆଦିଲ୍ଲୀ: ପୁରୀରେ ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ ଲାଗି ପ୍ରି-ଫିଜିବିଲିଟି ଅନୁଧ୍ୟାନ କରିବାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ କୁହାଯାଇଛି ବୋଲି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ ଜଣାଇଛନ୍ତି। ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ପ୍ରସ୍ତାବିତ ସ୍ଥାନ ଅଞ୍ଚଳର ଅନୁଧ୍ୟାନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ କରିବେ। ଗତ ଜାନୁଆରୀ ୧୨ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

 

ଉଡ଼ାଣ ଯୋଜନାରେ ଓଡ଼ିଶାର ଅଧିକ ବିମାନ ବନ୍ଦରକୁ ସାମିଲ କରିବା ନେଇ ସାଂସଦ ସସ୍ମିତ ପାତ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦୀପ ସିଂ ପୁରୀ ଜଣାଇଛନ୍ତି ଯେ ରାଜ୍ୟର ରାଉରକେଲା, ଅମର୍ଦ୍ଦା ରୋଡ଼, ଅନୁଗୋଳ, ବଡ଼ବିଲ, ବିରସାଲ, ଗୁଡ଼ାରୀ, ହୀରାକୁଦ, ଜୟକପୁର, ଜୟପୁର, ଲାଞ୍ଜିଗଡ଼, ନୂଆପଡ଼ା, ପହ୍ମପୁର, ରାଇରଙ୍ଗପୁର, ରଙ୍ଗେଇଲୁଣ୍ଡା, ରାଇସୁଆଁ, ସୁକିନ୍ଦା, ଥେରୁବାଲି, ତୁଷୁରା ଓ ଉତ୍‍କେଲା ଠାରେ ଏୟାରଷ୍ଟ୍ରିପ ଅଥବା ଏୟାରପୋର୍ଟ ଅଚଳବସ୍ଥାରେ ରହିଛି। ଏୟାରଷ୍ଟ୍ରିପ ଅଥବା ଏୟାରପୋର୍ଟ ଗୁଡ଼ିକର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର ଓ ଉତ୍‍କେଲା ବିମାନ ବନ୍ଦରକୁ ସାମିଲ କରାଯାଇଛି। ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ ଏୟାରପୋର୍ଟରେ ପରିଣତ କରିବାକୁ କେନ୍ଦ୍ର ସରକାରଙ୍କ ଏବେ କୌଣସି ଯୋଜନା ନାହିଁ। ଏଠାରୁ ବିମାନ ସେବା ଆରମ୍ଭ କରିବାକୁ କୌଣସି ଏୟାରଲାଇନ ଅପରେଟର ଆଗ୍ରହ ପ୍ରକାଶ କରି ନଥିଲେ ବୋଲି ସାଂସଦ ସୁଜିତ କୁମାରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀ ସୂଚନା ଦେଇଛନ୍ତି।

Comments are closed.