ପୁରୀରେ ୫ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା

ପୁରୀ: ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ୫ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ ହୋଇଛି। ଜିଲାରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ସେହି ରାଜ୍ୟଗୁଡ଼ିକର ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ କଟକଣା ଲଗାଇଛି।

ଏସବୁ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ପଞ୍ଜାବ, କେରଳ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟ ରହିଛନ୍ତି। ଏସବୁ ରାଜ୍ୟର କୌଣସି ପର୍ଯ୍ୟଟକ ପୁରୀ ଆସିଲେ ସେମାନଙ୍କୁ ୭୨ ଘଣ୍ଟା ପୂର୍ବର RT-PCR ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ପର୍ଯ୍ୟଟକମାନେ ସାଥୀରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେଶନରେ ରହିବାକୁ ପଡ଼ିବ। ସେହିପରି ଆଜି ହୋଟେଲ ମାଲିକାମାନଙ୍କ ସହିତ ଜିଲା ପ୍ରଶାସନ ଆଲୋଚନା କରିବ​‌ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁରୀରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ଶନିବାର ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରବିବାର ୧୪, ସୋମବାର ୧୬ ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି।

Comments are closed.