ସ୍ବର୍ଗଦ୍ବାରରେ ବାହାର ଲୋକଙ୍କ ଶବସତ୍କାର ବନ୍ଦ

ପୁରୀ: ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ସତ୍କାର ହୋଇପାରିବ ନାହିଁ ଜିଲା ବାହାର ଲୋକଙ୍କ ଶବ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି କଟକଣା ଜାରି କରିଛି ପ୍ରଶାସନ। କରୋନାରେ ସଂକ୍ରମିତ ନହୋଇ ଜିଲାର ମୃତ ବ୍ୟକ୍ତିଙ୍କ ଶବ ସ୍ବର୍ଗଦ୍ବାର ସତ୍କାର ପାଇଁ ସେଠାରେ ଅନୁମତି ଦିଆଯିବ। କରୋନା ସଂକ୍ରମିତଙ୍କ ଶବସତ୍କାର ପାଇଁ ଗତବର୍ଷ ପରି ଶିପସରୁବାଲି ଜଙ୍ଗଲରେ ଅସ୍ଥାୟୀ ଶ୍ମଶାନ କରାଯିବ। ସ୍ବର୍ଗଦ୍ବାର କର୍ମଚାରୀମାନେ ମୃତ ବ୍ୟକ୍ତିଙ୍କ ଆଧାରକାର୍ଡ, ଭୋଟ ପରିଚୟପତ୍ର ଏବଂ ମୃତ ପ୍ରମାଣପତ୍ର ଯାଞ୍ଚ କରିବେ। ଏହି କଟକଣା ଚଳିତମାସ ୧୦ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଉପଜିଲାପାଳ ତଥା ସ୍ବର୍ଗଦ୍ବାର ଶବସତ୍କାର କମିଟି ସମ୍ପାଦକ ଭବତାରଣ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ବର୍ଗଦ୍ବାରରେ ଶବସତ୍କାର ଦାୟିତ୍ବରେ ଥିବା ପୁରୋହିତ, ସଂସ୍କାରକ, ଶବବାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ। ସ୍ବର୍ଗଦ୍ବାରର କେତେକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଆଉକିଛି ଘରେ ବିଶ୍ରାମ ନେଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି। ତେଣୁ ଶନିବାର ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକ ଡକାଯାଇଛି।

Comments are closed.