ପୁରୀରେ ମା’ ବିମଳା

0

ଶ୍ରୀଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳା । ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ । ମା’ଙ୍କ ଶାରଦୀୟ ଦୁର୍ଗାପୂଜା ପାଳନର ସ୍ୱାତନ୍ତ୍ର୍ୟ ରହିଛି । ମୂଳାଷ୍ଟମୀ ତିଥିରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବ୍ରାହ୍ମଣ ବରଣ କରନ୍ତି । ସେହିଦିନଠାରୁ ଆରମ୍ଭ ହୁଏ ଶାରଦୀୟ ଦୁର୍ଗାପୂଜାର ମହାପାର୍ବଣ। ଏହି ସମୟରେ ସେଠାରେ ଦୁର୍ଗାମାଧବ ଉପାସନା କରାଯାଏ । ଷୋଳପୂଜାର ପ୍ରଥମ ଆଠଦିନ ଶ୍ରୀଜୀଉଙ୍କ ସକାଳଧୂପ ପରେ ଦୁର୍ଗାମାଧବ ବିମଳାଙ୍କ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି । ସନ୍ଧ୍ୟାଧୂପ ପରେ ଦୁର୍ଗାମାଧବ ପ୍ରତ୍ୟାବର୍ତ୍ତନ କରନ୍ତି । ଶେଷ ଆଠଦିନ ଦୁର୍ଗାମାଧବଙ୍କୁ ଚଉଦୋଳରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରାଯାଏ । ସେଠାରେ ପୂଜାର୍ଚ୍ଚନା ପରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ରାଜ୍ୟର ଅନ୍ୟ କୌଣସି ଶକ୍ତିପୀଠରେ ଦୁର୍ଗାମାଧବ ଉପାସନା ବ୍ୟବସ୍ଥା ନାହିଁ । କେବଳ ମା’ବିମଳାଙ୍କ ପୀଠରେ ଷୋଳପୂଜା ସମୟରେ ଦୁର୍ଗାମାଧବଙ୍କୁ ଏକତ୍ର ପୂଜା କରାଯାଏ । ଶ୍ରୀବାଳପୁରୁଷୋତ୍ତମ ଦେବ ଏବଂ ମା’ଦୁର୍ଗା ଷୋହଳଦିନ ଧରି ରୁନ୍ଧାଦିଅଁ ଭାବେ ଏକତ୍ର ପୂଜା ପାଆନ୍ତି। ଦଶହରା ତିଥିରେ ରୁନ୍ଧା ଫିଟାଯାଏ । ରାଜ୍ୟର ଅନ୍ୟ ଶକ୍ତିପୀଠରେ କେବଳ ମା’ଦୁର୍ଗାଙ୍କୁ ପୂଜା କରାଯିବାର ବିଧି ରହିଛି । ଶ୍ରୀମନ୍ଦିରରେ ଦୁର୍ଗା ଓ ମାଧବଙ୍କୁ ଗୋଟିଏ ଖଟୁଲିରେ ବସାଇ ପୂଜା କରାଯାଏ। ଏହି ଅନନ୍ୟ ପରମ୍ପରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତପୋଷଣ କରନ୍ତି।
ଶାରଦୀୟ ଦୁର୍ଗାପୂଜା ସମୟରେ ମା’ ବିମଳାଙ୍କୁ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା, ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ଜୟଦୁର୍ଗା, ରାଜରାଜେଶ୍ୱରୀ, ସିଂହବାହିନୀ, ମାତଙ୍ଗିନୀ ଏବଂ ଦଶଭୁଜା ବେଶ କରାଯାଏ। ମା’ଙ୍କ ଆକର୍ଷଣୀୟ ବେଶ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଗହଳି ପରିଲକ୍ଷିତ ହୁଏ । ତେବେ ଦୁର୍ଗାପୂଜା ବେଳେ କୌଣସି ମହିଳାଙ୍କୁ ବିମଳାଙ୍କ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଏ ନାହିଁ । ମା’ଙ୍କୁ ଶୀତଳ ଭୋଗ ଓ ସଂକୁଡ଼ି ଭୋଗ କରାଯିବାର ବିଧି ରହିଛି । ସଂକୁଡ଼ି ଭୋଗରେ ଖେଚୁଡ଼ି, ମିଷ୍ଟାନ୍ନ, ବେସର ଓ ଖିରି ପ୍ରସ୍ତୁତ କରାଯାଏ । ଷୋଡ଼ଶ ଉପଚାରରେ ସେବକ ଭୋଗ କରନ୍ତି । ଭୋଗ ପ୍ରସ୍ତୁତ ପାଇଁ ମନ୍ଦିର ପାଶ୍ୱର୍ରେ ଏକ ଅସ୍ଥାୟୀ ରୋଷଘର ନିର୍ମାଣ କରାଯାଏ । ଦୁର୍ଗାପୂଜା ବେଳେ ପ୍ରତ୍ୟହ ଭୋର ୪ଟାରୁ ମା’ଙ୍କ ମନ୍ଦିର ଦ୍ୱାର ଫିଟାଯାଇ ମାଜଣା, ବେଶ, ଆଳତି, ଭୋଗ କରାଯାଏ। ରାତି ୧୧ଟା ସୁଦ୍ଧା ମା’ଙ୍କୁ ପହଡ଼ କରାଯାଏ ।
ମା’ବିମଳାଙ୍କୁ ଛାଗବଳି ଦିଆଯିବାର ପରମ୍ପରା ରହିଛି । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ତିଥିରେ ନିଶାର୍ଦ୍ଧରେ ପଶୁପ୍ରୋକ୍ଷଣ କରାଯାଏ। ସୂର୍ଯ୍ୟୋଦୟ ପୂର୍ବରୁ ସମ୍ପୃକ୍ତ ସ୍ଥାନକୁ ଭଲଭାବେ ସଫା କରାଯାଏ। ତିନିଦିନରେ ଦୁଇଟି ଲେଖାଏଁ ବଳି ଦିଆଯିବାର ବିଧି ରହିଛି। ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ମାନସିକ ବଳିଗୁଡ଼ିକ ଶ୍ରୀମନ୍ଦିର ପେଜନଳା ନିକଟରେ ଥିବା କାକୁଡ଼ିଖାଇ ଦେବୀଙ୍କ ପୀଠରେ ପକାଯାଏ। ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରାତ୍ରପହଡ଼ ପରେ ଏବଂ ତା’ପରଦିନ ମନ୍ଦିର ଦ୍ୱାର ଖୋଲିବା ପୂର୍ବରୁ ପଶୁପ୍ରୋକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଷୋଳପୂଜା ବେଳେ ମା’ଙ୍କ ନିକଟରେ ପ୍ରତ୍ୟହ ଚଣ୍ଡୀପାଠ କରାଯାଏ।
ସୌଜନ୍ୟ ସତ୍ୟବାଦୀ ଡ଼େସ୍କ

Comments
Loading...