କାମଚଳା ଡାକ୍ତରଙ୍କ ହାତରେ ରୋଗୀଙ୍କ ଭାଗ୍ୟ: ମିଳୁନି ନିରାମୟ ଔଷଧ , ଫାର୍ମାସିଷ୍ଟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଭରସା

ଅସ୍ତରଙ୍ଗ : ପୁରୀ ଜିଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋ ସରକାର ଯୋଜନା ବିଫଳ ହୋଇଥିବା ଅଭିଯୋଗ ହୋଇଛି। କାମଚଳା ଡାକ୍ତରଙ୍କ ହାତରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ୨ ଲକ୍ଷରୁ ଉର୍ଦ୍ଧ ରୋଗୀଙ୍କ ଭାଗ୍ୟ ନିର୍ଭର କରିଚାଲିଛି। ଦୈନିକ ପ୍ରାୟ ୩ଶହରୁ ଅଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନେ ଅତି ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୪ ଜଣ ଡାକ୍ତରଙ୍କ ପଦ ଖାଲି ପଡିଛି। ଆୟୁଷ ଡାକ୍ତର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଏଠାକୁ ପାଳିରେ ଆସି କାମ ଚଳାଉଛନ୍ତି। ଅଧିକାଂଶ ରୋଗୀଙ୍କୁ ଚିକତ୍ସା ଲାଗି ଅନ୍ୟତ୍ର ପଠାଇ ଦିଆଯାଉଛି । ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ସରକାରଙ୍କ ଦ୍ୱାରା ଡେଲିଭରି ପଏଣ୍ଟ ମାନ୍ୟତା ପାଇଥିବା ବେଳେ ଗର୍ଭବତୀଙ୍କ ପ୍ରସୂତି ଏଠାରେଏକ ପ୍ରକାର ଠପ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନଥିବାରୁ ଫାର୍ମାସିଷ୍ଟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ମାନେ ରୋଗୀ ସେବା କରିବାକୁ ବାଧ୍ୟ ହେଉଛନ୍ତି। ଡାକ୍ତର ମାନେ ରୋଗୀଙ୍କୁ ସରକାରଙ୍କ ନିରାମୟ ଯୋଜନାରେ ଥିବା ମାଗଣା ଔଷଧ ନଦେଇ ବାହାର ଔଷଧ ଲେଖୁଥିବାରୁ ଗରୀବ ରୋଗୀମାନେ ଶୋଷିତ ହୋଇ ଚାଲିଛନ୍ତି ବୋଲି ସମାଜସେବୀ ଦୁସ୍ମନ୍ତ ପରିଡା ,ସତ୍ୟବ୍ରତ ଲେଙ୍କା ଓ ଭୋଳାନାଥ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଯୋଗୁଁ ଆଶୁ ଚିକିତ୍ସା ଓ ପ୍ରସୂତିଙ୍କ ସଂଖ୍ୟା ଏବେ୯୦ ପ୍ରତିଶତ ହ୍ରାସ ପାଇଛି। ବିଭିନ୍ନ କମ୍ପାନୀର ଔଷଧକୁୁ ପ୍ରୋତ୍ସାହନ ଦେଇ କେତେକ ଡାକ୍ତର ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ରହିବା ନିମନ୍ତେ ବ୍ୟବହୃତ ଖଟ , ଶେଜ , ତକିଆ ଓ ବେଡସିଟ ଗୁଡିକ ପରିବର୍ତ୍ତନ ନହେବା ଯୋଗୁ ସେସବୁ ଅପରିଷ୍କାର ହୋଇପଡିଲାଣି ା ଜରୁରୀକାଳୀନ ସେବା ଉପଲବ୍ଧ ହେଉନଥିବାରୁ ଅତ୍ୟଧିକ ଫିସ୍ ଦେଇ ରୋଗୀମାନେ ବାଧ୍ୟ ହୋଇ ଆଖ ପାଖ ଅଞ୍ଚଳରେ ଥିବା ଘରୋଇ ଡାକ୍ତର ଏବଂ କ୍ୱାକଙ୍କ ଦ୍ବାରସ୍ଥ ହେଉଛନ୍ତି ା ବିଶେଷକରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ ଓ କୁକୁର କାମୁଡା ଇଞ୍ଜେକ୍ସନ ଉପଲବ୍ଧ ହେଉନାହିଁ। ଯାହାର ସୁଯୋଗରେ ଔଷଧ ଦୋକାନୀ ମାନେ ଚଢାଦରରେ ରୋଗୀଙ୍କୁ ଶୋଷଣ କରିଚାଲିଛନ୍ତି। ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟିର ଷ୍ଟାଫ କ୍ୱାର୍ଟର୍ସ ଗୁଡିକ ବ୍ୟବହାର କରିବା ଅନୁପଯୋଗୀ ହୋଇ ପଡିଲାଣିି। ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତି ଭୁମିକୁ ଉନ୍ନତ କରିବା ଦିଗରେ ପ୍ରଶାସନ ବିଫଳ ହୋଇଛି। ପ୍ରସୂତିଙ୍କ ପାଇଁ ଉଦିଷ୍ଟ ଥିବା ସରକାରୀ ସହାୟତା ଧାର୍ଯ୍ୟ ସମୟରେ ମିଳିପାରୁ ନାହିଁ। ମାସ ମାସ ଧରି ଏଠାରେ କାର୍ଯ୍ୟରତ ଏଏନଏମ ଓ ଆଶାଦିଦିଙ୍କ ପାଉଣା ମିଳୁ ନଥିବା ସେମାନେ ଅଭିଯୋଗ କରୁଛନ୍ତି। ଠିକ ସମୟରେ ବିପିଏମ କାର୍ଯ୍ୟାଳୟକୁ ଆସୁନଥିବାରୁ ସମ୍ପୃକ୍ତ କର୍ମଚାରୀ ମାନେ ପାଉଣା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ସମୁଦ୍ର ଉପକୂଳବର୍ତ୍ତୀ ଏହି ସମ୍ବେଦନଶୀଳ ବ୍ଲକରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଏବଂ ରୋଗୀ ସେବାର ଚିତ୍ର ସାଧାରଣରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି।

ଏସମ୍ପର୍କରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ନୀଳକଣ୍ଠ ମୀଶ୍ର କୁହନ୍ତି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ସେ ଅବଗତ ଅଛନ୍ତି। ସମସ୍ୟା ସମ୍ପର୍କରେ ସେ ସରକାରଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ଡାକ୍ତର ପଦ ପୂରଣ ସହ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି।

Comments are closed.