ଭକ୍ତଙ୍କୁ ଅଲାରନାଥଙ୍କ ଅଣସର ଦର୍ଶନ ମନା

ପୁରୀ : ଶ୍ରୀଅଲାରନାଥ ଦେବଙ୍କ ୧୪ଦିନିଆ ଅଣସର ନୀତି ଚଳିତମାସ ୬ତାରିଖରୁ ଆରମ୍ଭ ହେବ । ତେବେ କରୋନା ଯୋଗୁ ଚଳିତବର୍ଷ ସାଧାରଣ ଭକ୍ତଙ୍କୁ ଅଣସର ଦର୍ଶନ ମିଳିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମନ୍ଦିର ଚାରିପଟେ ବ୍ୟାରିକେଡ୍‌ କରାଯିବା ସହିତ ଆବଶ୍ୟକ ପଡିଲେ ମନ୍ଦିର ଚାରିପଟେ ୧୪୪ ଧାରା ଜାରି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମନ୍ଦିରର ପାଳିଆ ସେବକମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି କରିବା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ଲାଗି ବୁଧବାର ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟବୋର୍ଡ ଏବଂ ସେବାୟତଙ୍କ ପକ୍ଷରୁ ମନ୍ଦିର ବେଢାରେ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲାପାଳ ଭବତାଚରଣ ସାହୁ ଯୋଗ ଦେଇ କହିଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଗତ ମାର୍ଚ୍ଚ ୨୦ରୁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ସରକାରଙ୍କ ଏହି ନିୟମକୁ ସମସ୍ତେ ମାନି ଅଲାରନାଥଙ୍କ ଅଣସର ଦର୍ଶନ ଉପରେ ଭକ୍ତଙ୍କ ପାଇଁ କଟକଣା କରାଯିବ। ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ। ପରିଚୟପତ୍ର ପାଇଥିବା ସେବାୟତ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ନୀତିକାନ୍ତି କରିପାରିବେ ବୋଲି ବୈଠକରେ ସ୍ଥିର ହୋଇଛି।

Comments are closed.