ବଗଲା ଧର୍ମଶାଳା ଜମି ବିକ୍ରି ହୋଇନି; ଥଇଥାନ କରାଯାଇଛି : ପ୍ରଶାସନ

ପୁରୀ : ବଗଲା ଧର୍ମଶାଳା ଜମି ଘରୋଇ ଲଜିଂ ମାଲିକଙ୍କୁ ବିକ୍ରି ଅଭିଯୋଗକୁ ଅସ୍ବୀକାର କରିଛି ଜିଲା ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ମିଟର ସୁରକ୍ଷା କରିଡରରୁ ଉଚ୍ଛେଦ ହୋଇଥିବା କିଛି ସେବକ ଏବଂ ବ୍ୟକ୍ତିଙ୍କୁ ସେଠାରେ ଥଇଥାନ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ଏହାଛଡ଼ା ଧର୍ମଶାଳାର ମାତ୍ର ୧୨% ଜମି ଥଇଥାନ ଯୋଜନାରେ ବ୍ୟବହାର କରାଯାଇଥିବା ପ୍ରଶାସନ କହିଛି।
ଶନିବାର ଜିଲାପାଳଙ୍କ ପକ୍ଷରୁ ଜାରୀ ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଭିତର ସେବାୟତ ନିଯୋଗ ସମେତ ବହୁ ସେବକ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଶହ ଶହ ବର୍ଷର ଭୂ-ସମ୍ପତ୍ତିକୁ ଦାନ କରିଥିଲେ। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଅନୁଯାୟୀ, ପୂର୍ବରୁ ଲଜିଂ ହାଉସ ଫଣ୍ଡ କମିଟି ନାମରେ ଥିବା ଏବଂ ବର୍ତ୍ତମାନ ରାଜସ୍ବ ବିଭାଗ ମାଲିକାନାରେ ରହିଥିବା କିଛି ଜମି ରାଜ୍ୟ କ୍ୟାବିନେଟ ଅନୁମୋଦନ କ୍ରମେ ମନ୍ଦିର ନିକଟରୁ ଜମି ହରାଇଥିବା କିଛି ବ୍ୟକ୍ତିଙ୍କୁ ଥଇଥାନ କରାଯାଇଛି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ କେନ୍ଦ୍ରରେ ପରିଣତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତମାନର ଆବାସ ସୁବିଧା ଯୋଗାଇ ଦିଆଯିବ। ପୂର୍ବରୁ ବଗଲା ଧର୍ମଶାଳାରେ ୨୦୦ ତୀର୍ଥଯାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ଏବେ ଏଠାରେ ୨ ହଜାର ଗରିବ ତୀର୍ଥଯାତ୍ରୀଙ୍କ ନିମନ୍ତେ ରାଜ୍ୟ ସରକାର ତୀର୍ଥକେନ୍ଦ୍ର ଏବଂ ଲଜ୍ ନିର୍ମାଣ ଆରମ୍ଭ କରିଛନ୍ତି। ଆହୁରି ଅଧିକ ୮ହଜାର ତୀର୍ଥଯାତ୍ରୀଙ୍କ ରହିବା ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା କରାଯିବ। ଅର୍ଥାତ୍ ପୁରୀରେ ତୀର୍ଥଯାତ୍ରୀଙ୍କ ଆବାସ ବ୍ୟବସ୍ଥା ୫୦ ଗୁଣ ବୃଦ୍ଧି କରାଯାଇ ୨ଶହରୁ ୧୦ ହଜାର କରାଯିବ ବୋଲି ଜିଲାପାଳ କହିଛନ୍ତି।
ପୁରୀ ବଳଗଣ୍ଡି ରାଜସ୍ବ ମୌଜାର ୨୪୨ ଖାତାରେ ରହିଥିବା ବଗଲା ଧର୍ମଶାଳାର ୨ ଏକର ୭୩୮ ଡେସିମିଲ ଜମିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏହି ପ୍ରେସ୍ ବିଜ୍ଞପ୍ତି ସହ ଏକ ସ୍କେଚ୍ ମ୍ୟାପ ଜାରି କରାଯାଇଛି। ଶ୍ରୀମନ୍ଦିର ପାଇଁ ଜମି ଦାନ କରିଥିବା ସେବକଙ୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ବାସ ଏବଂ ଥଇଥାନ ଯୋଜନା ଅନୁଯାୟୀ ଉପଯୁକ୍ତ ଥଇଥାନ କରାଯିବ। ମୋଟ ଜମିରୁ ଏ ପର୍ଯ୍ୟନ୍ତ ଏ ୦.୩୪ ଡେସିମିଲ ଆବଣ୍ଟନ କରାଯାଇଥିବା ବେଳେ ଆଉ ଏ ୦.୦୬୮ ଡେସିମିଲ ଆବଣ୍ଟନ କରାଯିବା ପ୍ରସ୍ତାବ ରହିଛି। ଜମି ଆବଣ୍ଟନ ପରେ ଆଉ ୨ଏକର ୩୩୦ ଡେସିମିଲ ଜମି ବଳକା ରହୁଥିବା ଏହି ସ୍କେଚ୍ ମ୍ୟାପ୍ରେ ଦର୍ଶାଯାଇଛି।