ଡାକଘର ସ୍ଥାୟୀଜମାରୁ ୬ଲକ୍ଷ ୪୦ହଜାର ଆତ୍ମସାତ୍‌

0

ପୁରୀ : ଶ୍ରୀଜଗନ୍ନାଥ ବଲ୍ଲଭ ଉପଡାକଘରେ ସ୍ଥାୟୀ ଜମାପାଇଁ ମିଳିଥିବା ୬ଲକ୍ଷ ୪୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି। ତଦନ୍ତ ରିପୋର୍ଟକୁ ଭିତ୍ତିକରି ବରିଷ୍ଠ ମଣ୍ଡଳ ଡାକ ଅଧୀକ୍ଷକ ସଞ୍ଜୟ କୁମାର ମହାପାତ୍ର ତତ୍କାଳୀନ ପୋଷ୍ଟମାଷ୍ଟର ବିଜୟ କୁମାର ଜୟସିଂହଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଅର୍ଥ ଆତ୍ମସାତ ଉଦେଶ୍ୟରେ ବର୍ଷିକିଆ ସ୍ଥାୟୀଜମା ପ୍ରମାଣପତ୍ର ପ୍ରଦାନ ପରିବର୍ତ୍ତେ ସେଭିଙ୍ଗସ୍‍ ବ୍ୟାଙ୍କ ପାସବୁକ୍‍ରେ ତାହାକୁ ଉଲ୍ଲେଖ କରାଯାଇଥିବା ଜଣାପଡିଛି। ବିଭାଗୀୟ କର୍ତ୍ତୃପକ୍ଷ ଉପଡାକଘରୁ ବିବାଦୀୟ କାଗଜପତ୍ର ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜୟ କୁମାର ଦାଶ ଏବଂ ମମତାରାଣୀ ଦାଶ ୨୦୧୬ ଅକ୍ଟୋବର ୫ରୁ ନଭେମ୍ବର ୩ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ବଲ୍ଲଭ ଉପଡାକଘରେ ୬ଲକ୍ଷ ୪୦ହଜାର ଟଙ୍କା ଜମା କରିଥିଲେ। ତାହାକୁ ୧ବର୍ଷିଆ ସ୍ଥାୟୀଜମା ପାଇଁ ନିର୍ଦ୍ଧାରିତ ଫର୍ମରେ ସେମାନେ ଦରଖାସ୍ତ କରିଥିଲେ। ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟର ତାହାକୁ ସ୍ଥାୟୀଜମା ଖାତାରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଜମା ଅବଧି ପୂର୍ଣ୍ଣହେବା ପରେ ଜମାକାରୀ ଟଙ୍କା ପାଇଁ ଡାକଘରକୁ ଯାଇଥିଲେ। ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ପୋଷ୍ଟମାଷ୍ଟର ତାହାକୁ ଯାଞ୍ଚ କରିବା ବେଳେ ଜମାକାରୀଙ୍କ ୬ଲକ୍ଷ ୪୦ହଜାର ଟଙ୍କା ଡାକବିଭାଗ ଖାତାକୁ ଆଦୌ ଯାଇନଥିବା ଜଣାପଡିଥିଲା। ଏ ସମ୍ପର୍କରେ ସେ ବରିଷ୍ଠ ଡାକମଣ୍ଡଳ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଥିଲେ। ଏହାଛଡା ଜମାକାରୀ ଏଥିନେଇ ଅଭିଯୋଗ କରିବା ସହ ସୁଧସହ ସେମାନଙ୍କ ଜମା ଅର୍ଥ ଫେରାଇବାକୁ ଦାବି କରିଥିଲେ। ଜଣେ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇଥିଲା। ଅର୍ଥ ଆତ୍ମସାତ ଅଭିଯୋଗର ପ୍ରାଥମିକ ପ୍ରମାଣ ମିଳିବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତତ୍କାଳୀନ ପୋଷ୍ଟମାଷ୍ଟର ଶ୍ରୀ ଜୟସିଂହଙ୍କୁ ନିଲମ୍ବନ କରାଯାଇଛି। ଏହାପୂର୍ବରୁ ସହରର ଅନ୍ୟ ଏକ ଉପଡାକଘରେ ଏପରି ଠକେଇ ଏବଂ ଜାଲିଆତି ହୋଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ଉପଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଜମାକାରୀ ଟଙ୍କା ଫେରସ୍ତ ପାଇଁ ଦାବିକଲେ ତାହାକୁ ବିଚାର କରାଯିବ ବୋଲି ବରିଷ୍ଠ ମଣ୍ଡଳ ଡାକ ଅଧୀକ୍ଷକ ଶ୍ରୀ ମହାପାତ୍ର ‘ସମାଜ’କୁ କହିଛନ୍ତି।

Leave A Reply