ହିଂସାର ରୂପ ନେଲା ପୁରୀ ବନ୍ଦ ଡାକରା

0

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଉଚ୍ଛେଦ ସମେତ ଅନ୍ୟାନ୍ୟ ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆହୂତ ପୁରୀ ବନ୍ଦ ଡାକରା ଶେଷରେ ହିଂସାତ୍ମକ ରୂପ ନେଇଛି। ସେନାର ସଦସ୍ୟମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ, ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ବାସଭବନରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ପୁରୀ ଏସ୍‍ପିଙ୍କ କାର୍ଯ୍ୟାଳୟ ଓ  ଶ୍ରୀମନ୍ଦିର ଥାନା ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମଧ୍ୟ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଡ଼ଦାଣ୍ଡରେ ଟାୟାର ଜାଳି ସେନା ରାସ୍ତା ଅବରୋଧ କରିଛି। ଉତ୍ତେଜନା ବେଳେ ୮ ପୁଲିସ କର୍ମଚାରୀ, ୧୫ଜଣ ସେନାର ସଦସ୍ୟ ଓ କେତେକ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ଗ୍ରାଣ୍ଡ ରୋଡରେ ଲାଠି ଚାଳନା କରାଯାଇଛି। ଉତ୍ତେଜନା ନ ଥିବାରୁ ପୁଲିସ ପ୍ରଥମେ ଟିୟର ଗ୍ୟାସ୍‌ ପ୍ରୟୋଗ କରିବା ସହିତ ଫାଙ୍କା ଗୁଳିଚାଳନା କରିଛି। ପୁରୀ ଟାଉନ୍‌ ଥାନରୁ ସିଂହଦ୍ବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।  ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଆନ୍ଦୋଳନକାରୀମାନଙ୍କ ଉପରକୁ ରବର ଗୁଳି ଚାଳନା କରିଛି। ବଡଦାଣ୍ଡରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।। ଆନ୍ଦୋଳନକାରୀ ମାର୍କେଟ ଛକରେ ଥିବା ଟ୍ରାଫିକ ପୋଷ୍ଟକୁ ମଧ୍ୟ ଭାଙ୍ଗି ଦେଇଥିବାର ଜଣା ପଡିଛି।  ସହରରେ ଶାନ୍ତି ବଜାୟ ରଖିବା ପାଇଁ ଜିଲାପାଳ ଶାନ୍ତି ବୈଠକ ଡାକିଛନ୍ତି। ବଡ଼ଦାଣ୍ଡରେ ପୁଲିସ ଫ୍ଲାଗ୍‍ମାର୍ଚ୍ଚ କରିଛି।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଧାଡ଼ି ଦର୍ଶନକୁ ଭକ୍ତଙ୍କ ସମେତ ସେବାୟତମାନେ ମଧ୍ୟ ବିରୋଧ କରୁଥିବା ଦେଖିବାକୁ ମିଳିଛି ।  ବୁଧବାର ଦିନ ଶ୍ରୀଜଗନ୍ନାଥ ସେନାର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ଚାରି ଦ୍ୱାର ମଧ୍ୟ ଦେଇ ଧସେଇ ପଶିଛନ୍ତି। ସେମାନେ ବାଇଶି ପାହାଚରେ ଥିବା ବ୍ୟାରିକେଡ ଭାଙ୍ଗିଥିବା ବେଳେ ସେବାୟତମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିବା ଦେଖାଯାଇଛି।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଉଚ୍ଛେଦ, ସେବାୟତଙ୍କ ଦାନ ଦକ୍ଷିଣା ଆଦାୟ ଅଧିକାର ଅକ୍ଷୁର୍ଣ୍ଣ, ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଯାଞ୍ଚ, ସ୍ୱର୍ଗଦ୍ୱାରର ପୁନରୁଦ୍ଧାର, ସିଦ୍ଧମହାବୀର ରେଳପଥର ଓଭରବ୍ରିଜ୍‍, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ତଦନ୍ତ, ବାଇଶି ପାହାଚରେ ପିଣ୍ଡଦାନ ଓ ଶ୍ରାଦ୍ଧ ଆଜି କର୍ମକାଣ୍ଡକୁ ଅନୁମତି ଆଦି ଇତ୍ୟାଦିକୁ ପ୍ରସଙ୍ଗକୁ ନେଇ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ସେବାୟତ ଓ ନଗର କଂଗ୍ରେସ ପକ୍ଷରୁ ସମର୍ଥନ ମିଳିଥିବା କୁହାଯାଉଛି। ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଶ୍ରଦ୍ଧାଳୁ ଓ ସେବାୟତ ବିରୋଧ କରିଥିଲେ । ମଙ୍ଗଳବାର ଦିନ ମଙ୍ଗଳ ଆଳତି ଦେଖିବାକୁ ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ । ଫଳରେ ପୁଣି ଥରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।ବୁଧବାର ସକାଳୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏକ ବିଶାଳ ରାଲି ବାହାରି ଥିଲା। ସେନାର ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବାକୁ ଜନତାଙ୍କୁ ନିବେଦନ କରିଥିଲେ। ଆନ୍ଦୋଳନକାରୀମାନେ ବଡଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସେମାନେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହିତ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘରେ ମଧ୍ୟ ଧସେଇ ପଶିଛନ୍ତି। ମନ୍ତ୍ରୀଙ୍କ ଘରେ ବିଭିନ୍ନ ଆସବାବ ପତ୍ର ଭାଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆନ୍ଦୋଳନକାରୀମାନେ ପୁରୀ ଏସ୍‌ପିଙ୍କ ଘର ଉପରକୁ ମଧ୍ୟ ପଥର ମାଡ଼ କରିଥିବା ସୂଚନା ମିଳିଛି। ସିଂହଦ୍ବାର ଥାନା ଉପରକୁ ଢେଲାମାଡ କରିଛନ୍ତି। ମନ୍ଦିର ସମ୍ମୁଖରେ ଥିବା ଟେଣ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ଅଟକ ରଖିଛି। ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଧାଡି ଦର୍ଶନ ବ୍ୟବସ୍ଥା ହେଲେ କଣ ହେବ ସମସ୍ୟା:
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅଧିକ ସମୟ ଲାଗିବ
ମହାପ୍ରଭୁଙ୍କୁ ଅଳ୍ପ ସମୟ ପାଇଁ ଭକ୍ତ ଦେଖି ପାରିବେ
ଧାଡିରେ ଗଲେ ମାତ୍ର ୫ ରୁ ୧୦ ସେକେଣ୍ଡ ପାଇଁ ଦର୍ଶନ କରିହେବ
ଗରୁଡ ସ୍ତମ୍ଭ ସ୍ପର୍ଶ କିମ୍ବା ଦର୍ଶନ ହୋଇପାରିବ ନାହିଁ
ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିହେବ ନାହିଁ
ବାଇଶି ପାହାଚରେ ଭକ୍ତ ବସି ପାରିବେ ନାହିଁ
ମହାପ୍ରସାଦ ଆଣିବା ପାଇଁ ଅଧିକ ସମୟ ଲାଗିବ
ପତିତପାବନ ବାନା ବାନ୍ଧିବା ବେଳେ ଭକ୍ତ ଦେଖି ପାରିବେ ନାହିଁ

Leave A Reply