ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ନିର୍ଦେଶ : ଜମିହରାଙ୍କୁ ୬ ସପ୍ତାହରେ ଜମି ଦିଅ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟାରେ ଜମି ହରାଇଥିବା ଆବେଦନକାରୀଙ୍କୁ ତୁରନ୍ତ ଜମି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ୬ ସପ୍ତାହ ଭିତରେ ବିବାଦମୁକ୍ତ ଜମି ପ୍ରଦାନ କରାଯିବ ବୋଲି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ବଶେଳିସାହି ଥାନା ଅନ୍ତର୍ଗତ ପଶ୍ଚିମଦ୍ବାର ଅଞ୍ଚଳର କୃଷ୍ଣଚନ୍ଦ୍ର ଲେଙ୍କା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରୁ ୭୫ ମିଟର ଭିତରେ ଥିବା ଜମି ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରକ୍ରିୟା ଭିତରେ ଜମି ହରାଉଥିବା ବ୍ୟକ୍ତିଙ୍କୁ ଥଇଥାନ ଯୋଜନାରେ ଅନ୍ୟ ଏକ ସ୍ଥାନରେ ଜମି ଓ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଆବେଦନକାରୀଙ୍କୁ ପୁରୀସହର ମୌଜାର ୟୁନିଟ-୩ ମାଟିମଙ୍ଗଳା ଠାରେ ବିକଳ୍ପ ଜମି ପ୍ରଦାନ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଆବେଦନକାରୀଙ୍କ ନାଁରେ ଏ ନେଇ ବିକ୍ରି କବଲା କରିଥିଲୋ ବିକ୍ରି କବଲା ଆଧାରରେ ଆବେଦନକାରୀଙ୍କୁ ଆରଓଆର୍ ପ୍ରଶାସନ ପ୍ରଦାନ କରିଥିଲା। ପ୍ରଦାନ କରାଯାଇଥିବା ଜମିକୁ ଦଖଲକୁ ନେଇ ଘର ନିର୍ମାଣ ପାଇଁ ଆବେଦନକାରୀ ଯାଇଥିବା ବେଳେ ସେଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ। କେତେକ ବ୍ୟକ୍ତି ଏହି ଜମି ଉପରେ ଅଦାଲତଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବା କହିଥିଲେ।

ଅଦାଲତଙ୍କ ନିର୍ଦ୍ଦେଶନାମା ମଧ୍ୟ ଆବେଦନକାରୀଙ୍କୁ ଦେଖାଇଥିଲେ। ସବୁ କଥା ପ୍ରଶାସନ ଜଣି ମଧ୍ୟ ଆବେଦନକାରୀଙ୍କୁ ଏଠାରେ ଥଇଥାନ ଯୋଜନାରେ ପ୍ଲଟ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଆବେଦନକାରୀଙ୍କ ଦୁଃଖ କେହି ଶୁଣି ନଥିଲେ। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଏହି ଜମିକୁ ନେଇ ବିବାଦ ରହିଥବା ସ୍ବୀକାର କରାଯାଇଥିଲା। ଏଥି ସହିତ ଆବେଦନକାରୀଙ୍କୁ ଥଇଥାନ ଯୋଜନାରେ ବିବାଦମୁକ୍ତ ଜମି ପ୍ରଦାନ କରାଯିବ ବୋଲି ସରକାର କହିଥିଲେ। ଏହାପରେ ହାଇକୋର୍ଟ ଆବେଦନକାରୀଙ୍କୁ ତୁରନ୍ତ ବିବାଦ ନଥିବା ଜମି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.