୬ଶହରୁ ଊର୍ଦ୍ଧ୍ବ ସେବକ କରୋନା ସଂକ୍ରମିତ, ୮ ଜଣଙ୍କ ମୃତ୍ୟୁ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାୟ ୨୦% ସେବକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିରୁ ଏପର୍ଯ୍ୟନ୍ତ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ସେବକ ଏବଂ ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚକ୍ରତୀର୍ଥ ରୋଡ୍‌ରେ କରୋନା କେୟାର କେନ୍ଦ୍ର ଖୋଲାଯାଇଛି। ଦିନକୁ ଦିନ ଅଧିକ ସେବକ କରୋନାରେ ସଂକ୍ରମିତ ହେଉଥିବାରୁ ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ମହାପ୍ରସାଦ ପ୍ରସ୍ତୁତି ପ୍ରାୟ ୯୦% ହ୍ରାସ ପାଇଛି। ସେବକ ସାହିଭାବେ ପରିଚିତ ହରଚଣ୍ଡୀସାହି, ମଣିକର୍ଣ୍ଣିକାସାହି, ଗୌଡବାଡସାହି, ଗୋଛିକାରସାହି, ତଳୁଚ୍ଛସାହି, ଦୋଳମଣ୍ଡପସାହି, ଦଇତାଗଳି, ସୁଆରସାହି ଆଦି ଅଞ୍ଚଳରେ ଘରେ ଘରେ ଜ୍ବର, ଥଣ୍ଡା ଏବଂ କାଶ ରୋଗୀ ରହିଥିବା ଜଣାପଡିଛି। ଅଧିକାଂଶ କରୋନା ସଂକ୍ରମିତ ସେବକ ଭୁବନେଶ୍ବରର ୨ଟି ଘରୋଇ ହାସପାତାଳରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ତଳେ ଶ୍ବେତଗଙ୍ଗା ତୀର୍ଥପୁଷ୍କରିଣୀରେ ଜଣେ ସେବକଙ୍କ ଶୁଦ୍ଧିକ୍ରିୟା ହୋଇଥିଲା। ସେଥିରେ ୫୦ଜଣ ଯୋଗ ଦେଇଥିଲେ। ସେମାନେ ସମସ୍ତେ ଜ୍ବରରେ ଆକ୍ରାନ୍ତ ହେବାପରେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଥିଲା। କେବଳ ସେବକ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ବହୁ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ସମ୍ପାଦନ, ସେବାପୂଜା ଏବଂ ମହାପ୍ରସାଦ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ପ୍ରାୟ ୧୨୦ ପାଳିଆ ସେବକଙ୍କର ଆବଶ୍ୟକତା ରହିଛି। ଭିତରଛ, ପ୍ରତିହାରୀ, ମୁଦୁଲି, ମେକାପ ଓ ଅଖଣ୍ଡ ସେବକଙ୍କ ଉପସ୍ଥିତିରେ ସକାଳୁ ମନ୍ଦିର ଦ୍ବାର ଖୋଲାଯାଏ। ଏହାଛଡା ସକାଳୁ ରାତି ପର୍ଯ୍ୟନ୍ତ ସିଂହାରୀ, ପୂଜାପଣ୍ଡା, ସୁଆର ମହାସୁଆର, ଗରାବଡୁ, ପତ୍ରିବଡୁ, ସୁଆରବଡୁ, ଅଖଣ୍ଡମେକାପ, ଚାଙ୍ଗଡା ମେକାପ, ଖୁଣ୍ଟିଆ, ମୁଖପଖାଳ, ପାଣିଆ, ଲେଙ୍କା, କୋଠଭୋଗ ଯୋଗାଣିଆ, ତଳୁଚ୍ଛ ମହାପାତ୍ର, ଶୁଦ୍ଧସୁଆର, ଆସ୍ଥାନ ପଢିଆରୀ, ଖଣ୍ଟୁଆ, କାହାଳୀଆ, ଭଣ୍ଡାର ମେକାପ, ପର୍ବଯାତ୍ରା ଯୋଗାଣିଆ, ମହାଜନ, ପ୍ରଧାନୀ ଏବଂ ବିମାନବଡୁ ସେବକଙ୍କ ଆବଶ୍ୟକତା ରହିଛି। ରଥଯାତ୍ରା ପୂର୍ବରୁ ଏବଂ ପରେ ଅଧିକାଂଶ ସେବକଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏହାପରେ ଆଉ ୨ଟି ପର୍ଯ୍ୟାୟ କୋଭିଡ ପରୀକ୍ଷା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବାସ୍ଥ୍ୟଦଳ ସେବକଙ୍କ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏହାଛଡା ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତ୍ୟେକଦିନ ପ୍ରାୟ ୫୦ଜଣ ସେବକଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଉଛି। ଜଣେ ବରିଷ୍ଠ ସେବକଙ୍କ ସୂଚନା ଅନୁଯାୟୀ ପ୍ରାୟ ୪ଶହ ସେବକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ୨ଶହରୁ ଊର୍ଦ୍ଧ୍ବ ସେବକଙ୍କଠାରେ କରୋନା ଲକ୍ଷଣ ନଥିଲେ ମଧ୍ୟ ଘରେ ରହି ସେମାନେ ଔଷଧ ସେବନ କରୁଛନ୍ତି। ପ୍ରାୟ ୩ହଜାର ପାଳିଆ ସେବକ ରହିଛନ୍ତି। ସେଥିରୁ ୫୫ଜଣ ପୂଜାପଣ୍ଡା ଅଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୧୫ଜଣ ପୂଜାପଣ୍ଡା ସେବକଙ୍କ ମଧ୍ୟରୁ ୭ଜଣ ସଂକ୍ରମିତ ହୋଇଥିବା କୁହାଯାଉଛି। ତେଣୁ ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ ଅନୁଯାୟୀ ଅନ୍ୟ କେଉଁ ସେବକଙ୍କ ଦ୍ବାରା ମହାପ୍ରଭୁଙ୍କ କେଉଁନୀତି ପାଳନ କରାଯାଇ ପାରିବ ସେ ସମ୍ପର୍କରେ ବିଚାର ବିମର୍ଶ ଚାଲିଥିବା ପରିଚାଳନା କମିଟି ସଭ୍ୟ ମାଧବ ମହାପାତ୍ର ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସୀମିତ ପରିମାଣର ମହାପ୍ରସାଦ ପ୍ରସ୍ତୁତ କରାଯାଉଛି। ସେହିପରି ଶ୍ରୀମନ୍ଦିରରେ ବିଜୁଳି, ଜଳଯୋଗାଣ ଏବଂ ପରିମଳ ଦାୟିତ୍ବରେ ଥିବା ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଏବେ ଅନୁମତି ଦିଆନଯିବାକୁ କେତେକ ବରିଷ୍ଠ ସେବକ ମତ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଏପର୍ଯ୍ୟନ୍ତ ପ୍ରାୟ ୪ଶହ ସେବକ ଏବଂ ୪୫ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିଯୋଗୁଁ ଠାକୁରଙ୍କ ସେବାପୂଜାରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ। ମନ୍ଦିର ପ୍ରଶାସନ କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସାଧୀନ ସେବକଙ୍କ ପାଇଁ ଦିନକୁ ୧୨ଶହ ଟଙ୍କା ଲେଖାଏ ଖର୍ଚ୍ଚ କରାଯାଉଛି। ଏହାଛଡା ସବୁ ସେବକଙ୍କର ୨ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ରହିଥିବା ପ୍ରଶାସକ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Comments are closed.