ପୁରୀ ବାହାର ଲୋକଙ୍କୁ ବରାଦୀ ମହାପ୍ରସାଦ ମନା

ପୁରୀ : କରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ମିଳିବନି ବରାଦୀ ମହାପ୍ରସାଦ। କୌଣସି ସୁଆର ସେବକ ବାହାର ଲୋକଙ୍କଠାରୁ ମହାପ୍ରସାଦ ବରାଦ ରଖିବେ ନାହିଁ। ପିତୃପକ୍ଷ ଚାଲିଥିବାରୁ କେବଳ ଶ୍ରୀମନ୍ଦିର ସେବକ ଏବଂ ପୁରୀ ସହରବାସୀଙ୍କୁ ବରାଦୀ ମହାପ୍ରସାଦ ଯୋଗାଇ ଦିଆଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ଏକ ବୈଠକରେ ଏସମ୍ପର୍କରେ ସ୍ଥିର କରାଯାଇଛି।

ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଏବଂ ସିଂହଦ୍ବାର ସମ୍ମୁଖରେ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଭିଡ ହେଉଥିବାରୁ ଏଭଳି କଟକଣା ଜାରି କାଯାଇଥିବା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି। ସୋମବାରଠାରୁ ସୁଆର ସେବକ, ବୋଝିଆ ଏବଂ ତୁଣିଆଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସ କରାଯିବ ବୋଲି ସେ କହିଛନ୍ତି। କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁରୀ ବାହାର ଲୋକେ ପୂର୍ବପରି ବରାଦୀ ମହାପ୍ରସାଦ ପାଇପାରିବେ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ମତାମତ ଦିଆଯାଇ ନାହିଁ। ଏହାପୂର୍ବରୁ ସ୍ବର୍ଗଦ୍ବାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ଶବସତ୍କାର ବନ୍ଦ କରାଯାଇଛି।

ଏବେ ବରାଦୀ ମହାପ୍ରସାଦ ଉପରେ ରୋକ୍‌ ଲଗାଇଛି ସୁଆର ନିଯୋଗ। ସେବକ ପରିବାର ଏବଂ ସ୍ଥାନୀୟ ଅଧିବାସୀଙ୍କ ପାଇଁ ନିଯୋଗ ପକ୍ଷରୁ ଦକ୍ଷିଣଦ୍ବାର ନିକଟରେ ଏକ କାଉଣ୍ଟର ଖୋଲାଯାଇ ମହାପ୍ରସାଦ ଯୋଗାଯିବ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି। ମାର୍ଚ୍ଚ ୨୦ତାରିଖଠାରୁ ଶ୍ରୀମନ୍ଦିରରେ ଅଣସେବକ ଭକ୍ତଙ୍କ ପ୍ରବେଶ ଉପରେ ସରକାର କଟକଣା ଜାରି କରିଛନ୍ତି। ଏଥିଯୋଗୁଁ ଶତାଧିକ ସୁଆର ସେବକଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ସୁଆର ନିଯୋଗ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଯୋଗାଇବା କାର୍ଯ୍ୟରେ ନିୟୋଜିତ ଶତାଧିକ ଲୋକ ଜୀବିକା ହରାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ନିଯୋଗର ଏଭଳି ନିଷ୍ପତ୍ତି ବିରୋଧରେ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ତେବେ ନିଯୋଗ ବିରୋଧରେ ମୁହଁ ଖୋଲିବାକୁ କେହି ସାହାସ କରୁନାହଁାନ୍ତି।

Comments are closed.