ଆନନ୍ଦବଜାରରେ ଲାଗିଛି ଭକ୍ତଙ୍କ ଭିଡ଼

0

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଅନବସର ଗୃହରେ ଥିବାରୁ ଭକ୍ତମାନେ ଜଗନ୍ନାଥଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ରୂପରେ ଦର୍ଶନ କରୁଛନ୍ତି। ଦିନକୁ ଦିନ ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ଅନବସର ଦର୍ଶନ ୧୪ଦିନ ଧରି ଚାଲିବ।
ବୁଧବାର ଅନବସର ଦର୍ଶନର ଷଷ୍ଠ ଦିନ। ଆଜି ପାଗ ମେଘୁଆ ଥିବାବେଳେ ଭକ୍ତମାନେ ଲମ୍ବାଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପିଇବା ପାଣି ବଣ୍ଟନ କରାଯିବା ସହ ଛିଞ୍ଚନ କରାଯାଉଛି। ଶ୍ରୀଜୀଉଙ୍କ ନୀତିରେ ଲାଗି ହେଉଥିବା ଭୋଗ ଅନ୍ନ, ଖେଚୁଡି, ମିଠାଅନ୍ନ, ଡାଲି, ଡାଲମା, ବେଶର, ମହୁର, ଖଟା, ଶାଗ ଓ ଖିରି ପ୍ରସାଦ ସହିତ ଶୁଖିଲି ଭୋଗ ପାଇଁ ଆନନ୍ଦ ବଜାରରେ ଭକ୍ତଙ୍କର ଭିଡ ଲାଗିରହିଥିଲା। ଘଣ୍ଟା ଘଣ୍ଟା ଧରି ଭକ୍ତମାନେ ଅପେକ୍ଷା କରିଥିଲେ ଶ୍ରୀ ଜୀଉଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ପାଇଁ। ଭୋର ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ଅନବସର ବେଶ, ଚନ୍ଦନ ତୁଳସୀ ଲାଗିହୋଇ ସକାଳ ୬ଟା ସୁଦ୍ଧା ଶ୍ରୀଜୀଉ ସର୍ବସାଧାରଣକୁ ଦର୍ଶନ ଦେଇଥିଲେ। ଦିନ୧୨ଟାରେ ସକାଳଧୂପ,୧ଟା୩୦ରେ ଖିରି ପ୍ରସାଦ ଭୋଗ ହୋଇ ଦିନ ୨ଟାରେ ଶ୍ରୀଜୀଉଙ୍କ ପହଡ଼ ପଡିଥିଲା। ୨ଟା୧୫ରେ ଶ୍ରୀଜୀଉ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ମଇଲମ ପରେ ଅଣସର ବେଶ ହୋଇଥିଲା। ରାତ୍ର ୯ଟାରେ ସନ୍ଧ୍ୟା ଧୂପ ୧୦ଟାରେ ମହାପ୍ରଭୁଙ୍କ ବଡ ସିଂହାର ବେଶ କରାଯାଇଥିଲା। ପ୍ରତିଦିନ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭାଗବତ ସୁରକ୍ଷା ସମିତି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି।

Leave A Reply