ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଚାତୁର୍ମାସ ବ୍ରତ ସମାପନ

ପୁରୀ : ଚଳିତ ବର୍ଷ ପୂର୍ବାମ୍ନାୟ ଗୋବର୍ଦ୍ଧନ ମଠ-ଶଙ୍କରାଚାର୍ଯ୍ୟ ପୀଠରେ ଚାତୁର୍ମାସ ବ୍ରତ ଆଷାଢ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ଭାଦ୍ର ପୂର୍ଣ୍ଣିମାରେ ସମାପନ ହୋଇଛି। ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଓ ଅନ୍ୟ ସାଧୁ-ସନ୍ଥମାନେ ଦୀର୍ଘ ଦୁଇମାସ କାଳ ମଠ ଭିତରେ ରହି ଏହି ବ୍ରତ ପାଳନ କରିଛନ୍ତି। ଏହି ସମୟରେ ମଠ ସୀମାରୁ ବାହାରି କୌଣସି ସ୍ଥାନକୁ ନଦୀ-ନାଳ ଅତିକ୍ରମ କରି ଯାତ୍ରା ପରିବା ନିଷିଦ୍ଧ ଥାଏ। ପୂଜ୍ୟ ଶଙ୍କରାଚାର୍ଯ୍ୟ ଏହି ସମୟ​‌ରେ ପ୍ରତ୍ୟହ ସକାଳ ୧୦ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ବୃହଦାରଣ୍ୟକୋପନିଷଦ୍‌, ଅପରାହ୍ନ ୫ ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଶ୍ରମଦ୍‌ଭାଗବତ ପ୍ରବଚନ ସହ ରାତ୍ରି ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ବ୍ରହ୍ମସୂତ୍ର ଶାଙ୍କରଭାଷ୍ୟ ଭାମତୀ ଟିକା ସହିତ ପଢାଉଥିଲେ।

ଗତକାଲି ଅପରାହ୍ନ ୫ ଘଟିକାରେ ଚାତୁର୍ମାସ ବ୍ରତ ସମାପନ ସହ ସୀମା ପାର(ସୀମାଲଘଂନ) ପାଇଁ ଗୋବର୍ଦ୍ଧନ ମଠରୁ ବାହାରି ବାଟମଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ। ଭାଗବତୀ ବାଟମଙ୍ଗଳାଙ୍କୁ ଦର୍ଶନ କରି ଆଳତୀ କରିଥିଲେ। ତାପରେ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ବାର ଯାଇ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରିଶେଷରେ ସ୍ବର୍ଗଦ୍ବାର ନିକଟସ୍ଥ ଆଳତୀ ମଣ୍ଡପଠାରେ ସମୁଦ୍ର ଆରତୀ କରିଥିଲେ। ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ସହିତ କାର୍ଯ୍ୟକ୍ରମରେ ଆଦିତ୍ୟବାହିନୀ ଓ ଆନନ୍ଦବାହିନୀ କର୍ମକର୍ତ୍ତା ଓ ସ୍ବୟଂସେବକମାନେ ଯୋଗ ଦେଇଥିଲେ।

Comments are closed.