ରତ୍ନସିଂହାସନରୁ ପଥର ଗାଏବ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ମାଧବ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡାଙ୍କ ସମେତ ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏ. କେ ସୁବୁଦ୍ଧି, କମାଣ୍ଡର ରବି ମିଶ୍ର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବରିଷ୍ଠ ସଂରକ୍ଷକ ଏସ.ଆର ରାଓ ଏବଂ ଜ୍ୟୋତି ରଞ୍ଜନ ପ୍ରଧାନ ବୁଧବାର ଅଭିଯୋଗର ତଦନ୍ତ କରିଛନ୍ତି। ୩ଜଣ ପରିଚାଳନା କମିଟି ସଭ୍ୟ ଗର୍ଭଗୃହ ଭିତରକୁ ଯାଇ ପଥର ଗାଏବ ହୋଇଥିବା ସ୍ଥାନ ଅନୁଧ୍ୟାନ କରିଛନ୍ତି।

ରତ୍ନସିଂହାସନର ସଂପୃକ୍ତ ସ୍ଥାନରେ ସିମେଣ୍ଟ ପଲସ୍ତରା କରାଯାଇଥିବା ଦେଖିବାକୁ ମିଳିଛି। ମରାମତି ପୂର୍ବରୁ ସେଠାରେ ପଦ୍ମପାଖୁଡା ପଥର ରହିଥିଲା କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଏଏସ୍‌ଆଇକୁ ଫଟୋ ମଗାଯାଇଛି। ରତ୍ନସିଂହାସନରୁ କେବେ ପଥର କଢାଯାଇଛି ସେଥିନେଇ ନିର୍ଦିଷ୍ଟ ସୂଚନା ମିଳିନଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗକୁ ମନ୍ଦିର ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଛି। ରତ୍ନସିଂହାସନର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ମୁଖରେ ପୂର୍ବରୁ ରହିଥିବା ଗୋଟିଏ ପଥର ଗାଏବ କରାଯାଇଥିବା ସେବକ ଈପ୍‌ସିତ ପ୍ରତିହାରୀ ମଙ୍ଗଳବାର ଅଭିଯୋଗ କରିଥିଲେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ବାରା ମରାମତି ପୂର୍ବ ଫଟୋ ଦାଖଲ ପରେ ଅଭିଯୋଗର ସତ୍ୟତା ଜଣାପଡିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ମହାପ୍ରଭୁ ଚଳିତବର୍ଷ ଜୁନ୍‌ ୨୩ରୁ ନବଦିନବ୍ୟାପୀ ଘୋଷଯାତ୍ରା କରିଥିଲେ। ଗତ ୨ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପ ମଣ୍ଡପରେ ବିଜେ କରିଥିଲେ। ବାହୁଡାଯାତ୍ରାରେ ଫେରିବା ପରେ ତିନିରଥ ଉପରେ ସିଂହଦ୍ବାର ସମ୍ମୁଖରେ ସୁନାବେଶ ଏବଂ ଅଧରପଣା ଭୋଗ କରାଯାଇଥିଲା। ରଥଯାତ୍ରା ଶେଷକରି ଗତ ୪ତାରିଖ ଦିନ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯାଇଥିଲା। ରତ୍ନସିଂହାସନରୁ ଦୁର୍ମୂଲ୍ୟ ପଥର ଗାଏବ ହେବା ଅଭିଯୋଗ ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ତଦନ୍ତ ଶେଷହେବା ପରେ ଅଭିଯୋଗର ସତ୍ୟତା ଥିଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ମଙ୍ଗଳବାର ପରିଚାଳନା କମିଟି ବୈଠକ ପରେ ଗଣମାଧ୍ୟମକୁ କହିଥିଲେ। ତେଣୁ ଏଭଳି ସଙ୍ଗିନ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

Comments are closed.