ଆଜିଠୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା

ପୁରୀ : ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ଅଣସରଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି। ଏଥିପାଇଁ ଶନିବାରଠାରୁ ପଟିଦିଅଁଙ୍କୁ ପୂଜା କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଙ୍କୁ ପୂଜା କରାଯିବା ବିଧି ରହିଛି। ପଟିଦିଅଁଙ୍କ ପାଖରେ ମଙ୍ଗଳଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାରବେଶ ଏବଂ ବଡ଼ସିଂହାର ଭୋଗ ସମେତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥହୋଇ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନଦେବା ପର୍ଯ୍ୟନ୍ତ ପଟିଦିଅଁଙ୍କୁ ପୂଜା କରାଯିବ। ଦାରୁବ୍ରହ୍ମ ଅସୁସ୍ଥ ଥିବାରୁ ଦଇତାପତି ସେବକମାନେ ଅଣସରଘରେ ଠାକୁରଙ୍କ ଗୁପ୍ତସେବା କରିବେ। ପ୍ରଭୁଙ୍କୁ ଜ୍ବର ହୋଇଥିବାରୁ ପଣା ଏବଂ ଚକଟା ଭୋଗ କରାଯିବ। ଏହିସମୟରେ ଦାରୁବ୍ରହ୍ମ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଜ୍ବରପୀଡା ଲାଘବ ପାଇଁ ଠାକୁରଙ୍କୁ ଫୁଲୁରିତେଲ ମାଲିସ କରାଯିବା ସହ ଦଶମୂଳ ମହୋଷଧି ଖାଇବାକୁ ଦିଆଯିବ। ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ଶ୍ରୀଜୀଉ ଚକାବିଜେ କରିବେ। ଏହାପରେ ସେବକମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥହେବା ଖବର ଜଣାଇବେ। ଚଳିତବର୍ଷ ରଥଯାତ୍ରା ପାଇଁ ରାଜ୍ୟ ସରକାର ଯଦି ଅନୁମତି ଦିଅନ୍ତି ଆଗାମୀ ୨୩ତାରିଖ ଦିନ ରଥଯାତ୍ରା ଅନୁଷ୍ଠିତ ହେବ। ରଥରେ ବସି ଭାଇଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ  ନବଦିନବ୍ୟାପୀ ଘୋଷଯାତ୍ରା କରିବେ କାଳିଆ ଠାକୁର। ପ୍ରତ୍ୟେକବର୍ଷ ଦାରୁବ୍ରହ୍ମ ଅଣସରଘରେ ଥିବା ସମୟରେ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କୁ ଦର୍ଶନ କରିଥାଆନ୍ତି। ଚଳିତବର୍ଷ କରୋନା ବିପତ୍ତି ଜନିତ କଟକଣା ଯୋଗୁଁ ଅଲାରନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଥିବା ଜଣାପଡ଼ିଛି।

Comments are closed.