ଅଟକିଛନ୍ତି ପର୍ଯ୍ୟଟକ; ବଢୁଛି ଦୁର୍ଦଶା

ପୁରୀ: ରେଳଗାଡି ଏବଂ ବସ୍‌ ଚଳାଚଳ ବାତିଲ ଯୋଗୁଁ ଘରକୁ ଫେରିନପାରି ପୁରୀରେ ଶତାଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ସେଥିରୁ ୫୪ଜଣଙ୍କୁ ଜିଲା ପ୍ରଶାସନ ରନ୍ଧାଖାଦ୍ୟ ଦେଉଥିବା ବେଳେ ଅନ୍ୟମାନେ ବିଭିନ୍ନ ହୋଟେଲ, ଲଜିଂ ଏବଂ ହଲିଡେହୋମ୍‌ରେ ରହିଛନ୍ତି। ସେମାନଙ୍କ ପାଖରେ ଥିବା ଟଙ୍କା ଶେଷ ହୋଇଗଲାଣି। ପରିବାରଠାରୁ ପ୍ରାୟ ୧୫ରୁ ୨୦ଦିନ ହେଲା ଦୂରରେ ଥିବାରୁ ଘରକୁ ଫେରିବାକୁ ସେମାନଙ୍କ ମଧ୍ୟରେ ବ୍ୟାକୁଳତା ଦେଖା ଦେଇଛି। ତିନିଜଣ ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରେ କୋଠରି ଭଡା ଦେଇଥିବା ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଭୟରେ ଅନ୍ୟ କେତେକ ହୋଟେଲ ଓ ଲଜିଂ ମାଲିକ ପର୍ଯ୍ୟଟକଙ୍କ ଅବସ୍ଥାନ ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ସାହାସ କରୁନାହଁାନ୍ତି। ଲକ୍‌ଡାଉନ କଟକଣା ଯୋଗୁଁ ପୁରୀ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସଂପୃକ୍ତ ହୋଟେଲ ଓ ଲଜିଂ ମାଲିକମାନେ ପର୍ଯ୍ୟଟକଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ପୋଷାକ ଏବଂ ଔଷଧ ଯୋଗାଇ ଦେଉଥିବା ଜଣାପଡିଛି। ତେବେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବନ୍ଦଯୋଗୁଁ ପର୍ଯ୍ୟଟକମାନେ କୋଣାର୍କ, ଚିଲିକା, ଧଉଳିଗିରି, ଉଦୟଗିରି ଏବଂ ଲିଙ୍ଗରାଜମନ୍ଦିର ବୁଲି ଦେଖିବାରୁ ବଞ୍ଚିତ ହୋଇଛନ୍ତି। ପୁରୀ ବେଳାଭୂମିରେ ୧୪୪ ଧାରା ଜାରି ହୋଇଥିବାରୁ ଏହି ସବୁ ପର୍ଯ୍ୟଟକ କୋଠରି ଭିତରେ ଆବଦ୍ଧ ହୋଇ ରହୁଛନ୍ତି। ବଳିଆପଣ୍ଡା, ଗୌଡବାଡସାହି, ଚକ୍ରତୀର୍ଥ ଏବଂ ପେଣ୍ଠକଟାର କିଛି ବ୍ୟକ୍ତି ଦି’ପଇସା ରୋଜଗାର ଆଶାରେ ପର୍ଯ୍ୟଟକଙ୍କୁ ଘରେ ରଖିଥିବା ଜଣାପଡିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯିବା ସହ ପୁରୀର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ଗାଡିଯୋଗେ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।

Comments are closed.