ସ୍ବର୍ଗଦ୍ବାର ଶ୍ମଶାନରେ ଅଘଟଣ : ଜୁଇ ଉପରକୁ ଡେଇଁ ମହିଳାଙ୍କ ଆତ୍ମଦାହ ଉଦ୍ୟମ

ପୁରୀ: ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ଶୁକ୍ରବାର ବଡ଼ଧରଣର ଅଘଟଣ ଘଟିଛି। ଜଣେ ମହିଳା ଜୁଇ ଉପରକୁ ଡେଇଁ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି। ଜଳନ୍ତା ନିଆଁରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲା ସଦର ହାସପାତାଳରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଘର ବାଲେଶ୍ବର ଜିଲା ଜଳେଶ୍ବରରେ ବୋଲି ଜଣାପଡିଛି। ପିତାମାତାଙ୍କ ସେବା କରିବାକୁ ଭାଇଭାଉଜ ସୁଯୋଗ ନଦେବାରୁ ସେ ଏପରି କଠୋର ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି। ସଦର ହାସପାତାଳର ପୋଡାଜଳା ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ପ୍ରାୟ ୧ଟା ବେଳେ ସ୍ବର୍ଗଦ୍ବାର ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ଶବସତ୍କାର ଚାଲିଥିଲା। ପ୍ରାୟ ୪୦ବର୍ଷ ବୟସ୍କା ଜଣେ ମହିଳା ଅଳ୍ପଦୂରରେ ଛିଡାହୋଇ ଶବସତ୍କାର ଦେଖୁଥିଲେ। ମୃତକଙ୍କୁ ମୁଖାଗ୍ନି ଦିଆଯିବା ପରେ ଅଗ୍ନିସଂଯୋଗ କରାଯାଇଥିଲା। ଶବ ହୁ ହୁ ହୋଇ ଜଳୁଥିବା ବେଳେ ମହିଳା ଜଣଙ୍କ ହଠାତ ଜୁଇ ଉପରକୁ ଡେଇଁ ପଡିଥିଲେ। ଏହାଦେଖି ସ୍ବର୍ଗଦ୍ବାର ଶ୍ମଶାନରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ତାଜୁବ ହୋଇପଡିଥିଲେ। କିଛି ଲୋକ ଜୁଇ ପାଖକୁ ଦୌଡିଯାଇ ମହିଳାଙ୍କୁ ନିଆଁ ଭିତରୁ ଟାଣି ଆଣିଥିଲେ। ସେତେବେଳକୁ ମହିଳାଙ୍କ ଶାଢୀରେ ନିଆଁ ଲାଗିଯିବା ସହ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିଲା। ଜୁଇ ଭିତରେ ଜଳି ଆତ୍ମଦାହ କରିବାକୁ ସେ ଜିଦି ଧରିଥିଲେ। ସେ ଆଉ ବଞ୍ଚିବାକୁ ଚାହୁଁ ନଥିବାରୁ ଜୁଇରେ ଜଳି ମରିଯିବାକୁ ଦିଅବୋଲି କାନ୍ଦି କାନ୍ଦି ସେ ଲୋକଙ୍କୁ କହିଥିଲେ। ମହିଳାଙ୍କ ନାମ ରମା ଦାସ ବୋଲି ସୂଚନା ମିଳିଛି। ସେ ଜଣେ ବିବାହିତା ବୋଲି ଜଣାପଡିଛି। ଶାଶୁଘର ଲୋକଙ୍କ ସହ ମତଭେଦ ପରେ ବାପଘରକୁ ଆସି ସେ ବାପମାଆଙ୍କ ସେବା କରୁଥିଲେ। ଭାଇ ଓ ଭାଉଜ ତାଙ୍କୁ ସେଥିରୁ ବଞ୍ଚିତ କରିବାରୁ ମନଦୁଃଖରେ ସେ ପୁରୀ ଚାଲି ଆସିଥିଲେ। ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦୁଃଖ ଜଣାଇବା ପରେ ସ୍ବର୍ଗଦ୍ବାର ଶ୍ମଶାନକୁ ଯାଇଥିଲେ। ଜୁଇ ଭିତରେ ଜଳିଯାଇ ଆତ୍ମଦାହ କରିବାକୁ ସେ ଚରମ ନିଷ୍ପତ୍ତି ନେଇଥିଲେ। ତେବେ ଯେଉଁ ମୃତ ବ୍ୟକ୍ତିଙ୍କ ଜୁଇ ଉପରକୁ ଡେଇଁ ସେ ଆତ୍ମଦାହ ଉଦ୍ୟମ କରିଥିଲେ ମହିଳାଙ୍କର ସେ କୌଣସି ସମ୍ପର୍କୀୟ ନୁହଁନ୍ତି। ସ୍ବର୍ଗଦ୍ବାର ଶ୍ମଶାନରେ ଜଳନ୍ତା ଜୁଇ ଉପରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ ପ୍ରଥମ ଘଟଣା। ଅତୀତରେ ଏଭଳି ଅଘଟଣ କେବେବି ସ୍ବର୍ଗଦ୍ବାର ଶ୍ମଶାନରେ ଘଟିନାହିଁ। ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପଠାଯିବା ସମ୍ଭାବନା ରହିଛି। ଏହି ଘଟଣା ସମଗ୍ର ପୁରୀ ସହରରେ ଆଲୋଡ଼ନ ସୃଷ୍ଟି କରିଛି।

 

Comments are closed.