୮ ଅନ୍ତଃରାଜ୍ୟ ଡକାୟତ ଗିରଫ

ପୁରୀ :ଆଠ ଜଣିଆ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ପୁରୀ ପୁଲିସ। ସେମାନଙ୍କଠାରୁ ବହୁ ପରିମାଣର ସୁନା ଓ ରୁପା ଗହଣା ସମେତ ଗୋଟିଏ ପିସ୍ତଲ, ୪ଟି କାର୍‌ ଏବଂ ୨ଟି ମୋଟର ସାଇକଲ ଜବତ କରାଯାଇଛି। ଅଭିଯୁକ୍ତମାନେ ପିପିଲି ଥାନାର ୨ଟି ଅପରାଧ ମାମଲାରେ ସଂପୃକ୍ତ ଥିବା ଏସ୍‌ପି ଡଃ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହାଛଡା ଅନ୍ୟ କେତେକ ସଙ୍ଗୀନ ଅପରାଧରେ ସେମାନେ ସଂପୃକ୍ତଥିବା ପୁଲିସ ସନ୍ଦେହ କରୁଛି। ଗିରଫ ବ୍ୟକ୍ତିମାନେ ପୁରୀ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ, ସମ୍ବଲପୁର, ଗଞ୍ଜାମ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅପରାଧ ସାମ୍ରାଜ୍ୟ ଚଳାଇଥିବା ପୁଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ ପିପିଲି ଥାନା ଦକ୍ଷିଣ ନୂଆଗାଁର ଚନ୍ଦ୍ରଶେଖର ଦାଶଙ୍କ ଘରେ ଗତବର୍ଷ ସେପ୍ଟେମ୍ବର ୨୬ ରାତିରେ ଜଣେ ବ୍ୟକ୍ତି ଗ୍ରୀଲ୍‌ କାଟି ଭିତରେ ପଶିଥିଲେ। ଶ୍ରୀ ଦାଶଙ୍କ ୭ଟି ସୁନାମୁଦି, ରୁପାପାଉଜି, ୨ଟି ସୁନାଚେନ, ଗୋଟିଏ ସୁନା ବ୍ରେସଲେଟ୍‌, ରୋଲେକ୍ସ ଘଣ୍ଟା ଏବଂ ଗୋଟିଏ ମୋବାଇଲ ଫୋନ ସମେତ ୯୪,୪୫୦ ଟଙ୍କା ଚୋରି କରିଥିଲେ। ଶ୍ରୀ ଦାଶଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଭାରତୀୟ ଦଣ୍ଡବିଧି ଆଇନର ୪୫୭ ଏବଂ ୩୮୦ ଦଫାର ମୋକଦ୍ଦମା ରୁଜୁ କରିଥିଲା।

ସେହପରି ଗତ ଜାନୁଆରୀ ୧୯ତାରିଖ ସନ୍ଧ୍ୟା ୬ଟାରେ କେତେକ ଅପରିଚିତ ବ୍ୟକ୍ତି ମଙ୍ଗଳପୁରର ରଞ୍ଜନା ବିଶ୍ବାଳଙ୍କ ଘର ଦୁଆର ବାଡେଇଥିଲେ। ସେ ଦୁଆର ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ବଳପୂର୍ବକ ଘର ଭିତରେ ପ୍ରବେଶ କରିଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଅଭିଯୁକ୍ତମାନେ ୨ଟି ସୁନାଚେନ ଏବଂ ୪୦ହଜାର ଟଙ୍କା ଚୋରିକରି ନେଇଥିଲେ। ରଞ୍ଜନାଙ୍କ ଏତଲାକୁ ଭିତ୍ତିକରି ପୁଲିସ ମୋକଦ୍ଦମା ରୁଜୁ କରିଥିଲା। ରଞ୍ଜନାଙ୍କ ଘରୁ ଚୋରି ଘଟଣାରେ ପୁଲିସ ଭୁବନେଶ୍ବର ଓଲଡ୍‌ ଟାଉନର ମାନସ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରିଥିଲା। ଚନ୍ଦ୍ରଶେଖର ଦାଶଙ୍କ ଘରୁ ଚୋରି ଘଟଣାରେ ୬ଜଣ ବ୍ୟକ୍ତି ସଂପୃକ୍ତଥିବା ଜଣାପଡିଥିଲା। ଦୁଇଟିଯାକ ଘଟଣାର ତଦନ୍ତ ପାଇଁ ଏସ୍‌ପି ନିର୍ଦେଶ ଦେଇଥିଲେ। କିଛି ପେଷାଦାର ଅପରାଧୀଙ୍କୁ ସନ୍ଦେହରେ ପୁଲିସ ଅଟକ ରଖି ପଚରାପଚରି କରିଥିଲା। ସେମାନଙ୍କ ସୂଚନାକୁ ଭିତ୍ତିକରି ସୋମବାର ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ସୋଲପାଟଣା ଗ୍ରାମର ପିଣ୍ଟୁ ଓରଫ ସୁଭ୍ରଜିତ ପରିଡା, ଜଗତସିଂହପୁର ଜିଲା ତି‌େ​‌ର୍ତ୍ତାଲ ଥାନା ଅନ୍ତର୍ଗତ ଧୁନାପଲି ଗ୍ରାମର ବାବୁନା ଓରଫ ସୁଶାନ୍ତ ସ୍ବାଇଁ, ତି​‌ର୍ତ୍ତୋଲ ମୋଲଣ୍ଡା ଗ୍ରାମର ହାପି ଓରଫ ରାକେଶ ରାୟ, ନୟାଗଡ ଜିଲା ଇଟାମାଟି ଥାନା ଅନ୍ତର୍ଗତ ଗମ୍ଭାରିଡିହ ଗ୍ରାମର ବିପିନ ଓରଫ ବିପିନ ପୃଷ୍ଟି, ପୁରୀ ଜିଲା କୋଣାର୍କ ଥାନା ଜୁଣେଇ ଗ୍ରାମର ରାଜା ଓରଫ ରାକେଶ ଖୁଣ୍ଟିଆ, ସତ୍ୟବାଦୀ ଥାନା ବୀରରାମଚନ୍ଦ୍ରପୁର ଗ୍ରାମର କାହ୍ନା ଓରଫ ଭବାନୀ ଶଙ୍କର ମହାପାତ୍ର, ଜଗତସିଂହପୁର ଜିଲା ତି​‌ର୍ତ୍ତୋଲ ଥାନା ଅଞ୍ଚଳର ବାପୁ ଓରଫ ରାଜେନ୍ଦ୍ର କୁମାର ସ୍ବାଇଁ, କଟକ ଜିଲା ବାଦାମବାଡି ଥାନା ଗୋପୀନାଥପୁରର ଶିବୁନା ଓରଫ ଜୀତେନ୍ଦ୍ର କୁମାର ଖଟୁଆଙ୍କୁ ସୋମବାର ପୁଲିସ ଗିରଫ କରିଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସେମାନଙ୍କଠାରୁ ଘରେ ଗ୍ରୀଲ୍‌ ଭାଙ୍ଗିବା ଉପକରଣ, ୮ଟି ମୋବାଇଲ ଫୋନ, ଗୋଟିଏ ସୋନି ଏଲଇଡି ଟିଭି, ୨ଟି ବଜାଜ୍‌ ପଲସର୍‌ ମୋଟର ସାଇକଲ, ୩ଟି ଇନୋଭା କାର୍, ଗୋଟିଏ ଟାଟା ଇଣ୍ଡିଗୋ କାର୍‌ ଜବତ କରାଯାଇଛି। ଏହାଛଡା ଗୋଟିଏ ଦେଶୀ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରାଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୬୪୦.୩୪ ଗ୍ରାମ ସୁନା ଅଳଙ୍କାର ଏବଂ ୬କି.ଗ୍ରା ରୁପା ଅଳଙ୍କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବିଭିନ୍ନ ଟ୍ରାଭେଲ ଏଜେନ୍ସିରୁ ଗାଡି ଭଡାନେଇ ଅପରାଧରେ ବ୍ୟବହାର କରୁଥିବା ତଦନ୍ତରୁ ଜଣାପଡିଛି। ଏତଦ୍‌ବ୍ୟତୀତ ଆଉ ୫ଜଣ ଅଭିଯୁକ୍ତଙ୍କୁ ଚୋରି ଓ ଡକାୟତି ଘଟଣାରେ ପୁଲିସ ଚିହ୍ନଟ କରିଛି। ଭୁବନେଶ୍ବର ଓଲଡ୍‌ ଟାଉନର ମାନସ ଦାସ, ଭିଏସଏସ ନଗର ପୁରୁଷୋତ୍ତମ ବସ୍ତିର ଆକାଶ, କଟକ ଜିଲା ନେମାଳ ଥାନା ଗଦିଜଙ୍ଘା ଗ୍ରାମର ଦୀପକ ଚୌଧୁରୀ, ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଣ୍ଢୁଅ ଗ୍ରାମର ରାଜେଶ ଖଟୁଆଙ୍କ ସଂପୃକ୍ତି ସମ୍ପର୍କରେ ପୁଲିସକୁ ସୁରାକ ମିଳିଥିବା ଏସ୍‌ପି କହିଛନ୍ତି। ଏହାଛଡା ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟ ଅପରାଧୀ ମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ ଅବ୍ୟାହତ ରହିଥିବା ପୁଲିସ ସୂଚନା ଦେଇଛି।

Comments are closed.