ଅସୁରକ୍ଷିତ ଐତିହ୍ୟ ; ସଂକଟରେ ଅଠରନଳା

ପୁରୀ (ଜଗନ୍ନାଥ ବସ୍ତିଆ): ସଂକଟରେ ଐତିହ୍ୟ ଅଠରନଳା। ଶ୍ରୀକ୍ଷେତ୍ରର ଏହି ପ୍ରାଚୀନ କୀର୍ତ୍ତି ପ୍ରତି ଅବହେଳା କରୁଛନ୍ତି ସରକାର। ଅଠରନଳାକୁ ସୁରକ୍ଷିତ କୀର୍ତ୍ତି ଘୋଷଣା କରି ନିରବ ହୋଇ ବସିଛି ଏଏସ୍‌ଆଇ । ଆବର୍ଜନାମୟ ପରିବେଶରେ ପ୍ରାଚୀନ ଐତିହ୍ୟର ଦୟନୀୟ ଅବସ୍ଥା ଲୋକଙ୍କୁ ବ୍ୟଥିତ କରିଛି। ଅବାଧ ଗାଡି ଚଳାଚଳ ଯୋଗୁଁ ଏହାର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଛି। ଦୀଘବର୍ଷ ଧରି ମଇଳା ପାଣି ଭିତରେ ରହିଥିବାରୁ ଏହାର କିଛିଅଂଶ ଦବୁଥିବା ଅଭିଯୋଗ ହୋଇଛି। ପୁରୀ ସହରର ମୁଖ୍ୟ ପ୍ରବେଶପଥରେ ରହିଛି ଅଠରନଳା। ଗଙ୍ଗବଂଶର ରାଜା ଭାନୁଦେବ ତ୍ରୟୋଦଶ ଶତାବ୍ଦୀରେ ଏହାକୁ ନିର୍ମାଣ କରିଥିଲେ। ୧୮ଟି ନଳାଥିବା ଏହି ସେତୁ ପଥରରେ ନିର୍ମାଣ କରାଯାଇଛି। ଉତ୍କଳୀୟ ବିରଳ କଳାଚାତୁରୀ ଏବଂ ଦୁର୍ଲଭ ନିର୍ମାଣ ଶୈଳୀ ସେଥିରୁ ସ୍ପଷ୍ଟ ହୋଇଛି। ଅଠରନଳାର ଲମ୍ବ ୨୮୦ଫୁଟ ଏବଂ ଚଉଡା ୩୬ଫୁଟ। ମୂଷାନଈ ଭାବେ ପରିଚିତ ଏକ ନଦୀ ଉପରେ ଏହି ବିରଳ ପ୍ରାଚୀନ ଐତିହ୍ୟ ଛିଡାହୋଇଛି। ହୁଳୁହୁଳିଆ ପୋଲଠାରୁ ମଙ୍ଗଳାନଦୀ ପର୍ଯ୍ୟନ୍ତ ପ୍ରାୟ ୩କି.ମି ବିଶିଷ୍ଟ ମୂଷାନଈ ପୁରୀ ସହରର ସବୁଠାରୁ ପ୍ରାଚୀନ ଏବଂ ସର୍ବବୃହତ୍ ଜଳାଶୟ। ରାଜସ୍ବ ବିଭାଗ ରେକର୍ଡରେ ତାହା ଅଠରନଳା ନଦୀଭାବେ ଉଲ୍ଲେଖ ରହିଛି। ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରର ଏକ ପ୍ରମୁଖ ଆକର୍ଷଣ ଭାବେ ଅଠରନଳା ଖ୍ୟାତି ଅର୍ଜନ କରିଛି। ଏହାର ଗୋଟିଏ ପଟେ କଲିକତି ଦଳ ଭରପୂର ହୋଇ ରହିଥିବା ବେଳେ ଅନ୍ୟପାର୍ଶ୍ବରେ ଆଖପାଖ ଅଞ୍ଚଳର ନର୍ଦମା ଜଳ ଜମାହୋଇ ରହିଛି। ଐତିହ୍ୟ ଅଠରନଳାର ସଂରକ୍ଷଣ ଏବଂ ବିକାଶ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସାମାନ୍ୟତମ ଉଦ୍ୟମ କରିନାହାନ୍ତି। ଅଠରନଳା ନଦୀ (ମୂଷାନଈ)ର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ମିଳିଥିବା କୋଟି କୋଟି ଟଙ୍କା ଯୋଜନାବଦ୍ଧ ଭାବେ ଆତ୍ମସାତ କରାଯାଇଛି। ଅଠରନଳାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଏସ୍‌ଆଇ ପକ୍ଷରୁ ଦୁଇପାର୍ଶ୍ବରେ ପ୍ରାୟ ୧୦ବର୍ଷ ତଳେ ଲୁହା ଗେଟ ଲଗାଯାଇଥିଲା। ଅଠରନଳା ଉପର ଦେଇ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଲୁହାଗେଟ ଭାଙ୍ଗି ଯାଇଥିଲେ ମଧ୍ୟ ଏହାର ପୁନଃନିର୍ମାଣ କରାଯାଇ ନାହିଁ। ଐତିହ୍ୟ ଅଠରନଳା ଉପରେ ସକାଳ ଓ ସନ୍ଧ୍ୟାରେ ମାଛହାଟ ବସୁଛି। ଏହା ଏକ ପ୍ରାଚୀନ ଐତିହ୍ୟ ହୋଇଥିବାରୁ ୧୦୦ମିଟର ମଧ୍ୟରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ନିଷେଧାଦେଶ ଜାରି କରିଛନ୍ତି। ଏହି ଫଳକକୁ କୌଣସି ଦୁର୍ବୃତ୍ତ ତାଡି ନେଇଥିବା ଜଣାପଡିଛି। ଅଠରନଳା ନିକଟରେ ବେଆଇନ ନିର୍ମାଣ ବୃଦ୍ଧି ପାଇବାରେ ଲାଗିଛି। ତାହାକୁ ରୋକିବାରେ ଏଏସ୍‌ଆଇ କିମ୍ବା ପିକେଡିଏ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ପୂର୍ବରୁ ଅଠରନଳା ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୫କୋଟି ଟଙ୍କା ମଞ୍ଜୁର କରିଥିଲା। କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହି ଅର୍ଥ ଅନ୍ୟ ଜିଲାର ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ସ୍ଥାନାନ୍ତର କରାଯାଇଥିଲା। ଏଏସ୍‌ଆଇ ପକ୍ଷରୁ ପ୍ରତିବର୍ଷ ଅଠରନଳା ଉପର ବାଡରେ ଗୋଟିଏ ଥର ଗେରୁଆ ରଙ୍ଗ କରାଯାଉଛି। ଏତେବଡ ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଏଏସ୍‌ଆଇ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ।

ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୨ବର୍ଷ ଭିତରେ ପ୍ରାୟ ୩ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ପ୍ରସ୍ତାବ ରହିଛି। ତେଣୁ ପ୍ରାଚୀନ ଐତିହ୍ୟ ଅଠରନଳାର ସଂରକ୍ଷଣ ସମେତ ପାରିପାର୍ଶିକ ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ସହକାରୀ ପର୍ଯ୍ୟଟନ ନିର୍ଦେଶକ ବିଜୟ କୁମାର ଜେନା କହିଛନ୍ତି ଅଠରନଳା ସଂରକ୍ଷଣ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭୁବନେଶ୍ବର ମଣ୍ଡଳ ଅଧିକ୍ଷକ ଡଃ ଅରୁଣ କୁମାର ମଲିକଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନାହିଁ।

Comments are closed.