ଊନବିଂଶ ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ : ସାହିଯାତରେ ଦୁଲୁକୁଛି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ। ସୋମବାର ଊନବିଂଶ ଶ୍ରୀକ୍ଷେତ୍ର ମହୋତ୍ସବ ଆରମ୍ଭ ହୋଇଛି। ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି। ସେ କହିଲେ କଳା ଓ ସଂସ୍କୃତିର ସହର ଶ୍ରୀକ୍ଷେତ୍ର। ପ୍ରାଚୀନ ସଂସ୍କୃତିର ସୁରକ୍ଷା ଏବେ ଜରୁରୀ ହୋଇପଡିଛି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ପୁରୀ ଦେଶର ସବୁଠାରୁ ଉନ୍ନତ ସହରରେ ପରିଣତ ହେବ। ପର୍ଯ୍ୟଟକ ଓ ଭକ୍ତଙ୍କ ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଇବ। ଶ୍ରୀକ୍ଷେତ୍ରର ଅର୍ଥନୀତି ଅଧିକ ସୁଦୃଢ ହୋଇପାରିବ। ପ୍ରାଚୀନ ସଂସ୍କୃତି ଓ ପରମ୍ପରା ଜାତିର ପରିଚୟ ବୋଲି ଶ୍ରୀ ମହାନ୍ତି ମତ ଦେଇଛନ୍ତି। ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ସଭାପତି ସାହିନାୟକ ନାରାୟଣ ମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯାଗା ଆଖଡା ଗୁଡିକର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦେଇଥିଲେ। ସେ କହିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ସହ ସାହିଯାତର ସମ୍ପର୍କ ରହିଛି। ପାରମ୍ପରିକ ସମରକଳା କୌଶଳ ଏବଂ ସାହିଯାତ ବଞ୍ଚାଇ ରଖିବାରେ ଯାଗା ଆଖଡା ଗୁଡିକର ଭୂମିକା ପ୍ରଶଂସନୀୟ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ ସାମନ୍ତରା, କାର୍ଯ୍ୟକାରୀ ସଭାପତି ବାବାଜୀ ମହାପାତ୍ର, ସଂଗଠନ ସମ୍ପାଦକ ଜଗନ୍ନାଥ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ। ବିଭିନ୍ନ ଯାଗାଆଖଡା କର୍ମକର୍ତ୍ତାଙ୍କୁ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।

ନବପ୍ରତିଭା ଅନୁଷ୍ଠାନ ପକ୍ଷରୁ ନୃତ୍ୟନାଟିକା ‘ମାଣିକ ଗୌଡୁଣି’ ପରିବେଷଣ କରାଯାଇଥିଲା। ଗୁରୁ ଅଶୋକ କୁମାର ଦାସଙ୍କ ନିର୍ଦେଶନାରେ ବବିତା ଦାସ, ରୋଜାଲିନ ପଣ୍ଡା, ମୟୂରୀ ପଟ୍ଟନାୟକ, ସ୍ମରଣିକା ଦାଶ, ଶ୍ରାବଣୀ ପଣ୍ଡା, ସୁନିତା ସାହୁ, ନୈନା ପ୍ରିୟଦର୍ଶିନୀ ଓଝା, ମୀରାମ୍ବିକା ପାତ୍ର, ପ୍ରଦୀପ କୁମାର ସାହୁ ସେଥିରେ ଅଭିନୟ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ର କଳାଧଳା ଘୋଡାରେ କାଞ୍ଚି ଅଭିଯାନରେ ଯିବାବେଳେ ମାଣିକ ଗୌଡୁଣିଠାରୁ ଦହି ଖାଇଥିଲେ। ଶହ ଶହ ବର୍ଷ ତଳର ଏହି ପୌରାଣିକ କିମ୍ବଦନ୍ତୀକୁ ନେଇ କବିତିଳକ ଗୁରୁ ଆର୍ତ୍ତତ୍ରାଣ ଶତପଥୀ ନୃତ୍ୟନାଟିକା ରଚନା କରିଛନ୍ତି। ମାଣିକ ଗୌଡୁଣିଙ୍କ ସ୍ମୃତିରେ ସଂପୃକ୍ତ ଗ୍ରାମର ନାମ ମାଣିକପାଟଣା ରହିଛି। ଅନୁଷ୍ଠାନ କଳାକାରମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି। ବିଭିନ୍ନ ଯାଗାଆଖଡା ପକ୍ଷରୁ ନାଗା, ମେଢ, ପଞ୍ଚଶିରା, ନବଶିରା ନୃତ୍ୟ ପରିବେଷଣ କରାଯାଇଛି। ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମଣିପୁରୀ ଲୋକନୃତ୍ୟ ‘ଥାଙ୍ଗଥା’ ଅନୁଷ୍ଠିତ ହୋଇଥିଲା। ଏହାପରେ ଲିଙ୍ଗରାଜ କଳାନିକେତନ ଛାତ୍ରୀମାନେ ଓଡ଼ିଶୀନୃତ୍ୟ ‘ଦୁର୍ଗାବନ୍ଦନା’ କରିଥିଲେ। ଗୁରୁ ଦୁର୍ଗାଚରଣ ରଣବୀର, ମନୋଜ କୁମାର ପ୍ରଧାନ ଓ ନନ୍ଦିତା ପ୍ରିୟଦର୍ଶିନୀ ମହାନ୍ତି ନୃତ୍ୟ ନିର୍ଦେଶନା ଦେଇଥିଲେ। ସିପ୍ରା ମିଶ୍ର, ରଶ୍ମିତା ଦାସ, ପଲ୍ଲୀପୁଷ୍ପା ନାୟକ, ସୁପ୍ରିୟା ପଲେଇ, ଅର୍ଚ୍ଚନା ସାହୁ, ଶୁଭଶ୍ରୀ ପଣ୍ଡା, କିରଣ ପଟ୍ଟନାୟକ, ମମତା ଦାସ ନୃତ୍ୟ କରିଥିଲେ। ଶ୍ରୀମନ୍ଦିର ସିଂହଦ୍ବାରଠାରୁ ଶରଧାବାଲି ପର୍ଯ୍ୟନ୍ତ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବଡ଼ଦାଣ୍ଡରେ ସାହିଯାତ ଏବଂ ବାଡିଖେଳ ଦେଖିବାକୁ ଲୋକଙ୍କ ମଧ୍ୟରେ ଗହଳି ପରିଲକ୍ଷିତ ହୋଇଥିଲା। ସମାଜସେବୀ ଚକ୍ରଧର ମହାପାତ୍ର ଏବଂ ବାଲିସାହି ଆଖଡା ସମ୍ପାଦକ ନରେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଗାମୀ ୨୦ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ସାହିଯାତ ଅନୁଷ୍ଠିତ ହେବ। କାଳିକାଦେବୀ ସାହି, ହରଚଣ୍ଡୀସାହି, ମାର୍କଣ୍ଡେଶ୍ବର ସାହି, କୁଣ୍ଢେଇବେଣ୍ଟସାହି, ଦୋଳମଣ୍ଡପ ସାହି, ବାଲିସାହି, ଗୌଡବାଡ଼ସାହି, ମାଟିମଣ୍ଡପ ସାହି ପକ୍ଷରୁୁ ପ୍ରତ୍ୟେହ ସନ୍ଧ୍ୟାରେ ସାହିଯାତ ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି।

Comments are closed.