ସଂକଟରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ସଂକଟରେ ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭଗୃହ। ଗର୍ଭଗୃହ ଚଟାଣ, କାନ୍ଥ ଏବଂ ଛାତପ୍ରତି ବିପଦ ଦେଖାଦେଇଛି। ଭୂତଳ ନାଳ ପୋତିହୋଇ ଯିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି। ଦୀପଧୂଆଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସମେତ କାନ୍ଥପ୍ରତି ବିପଦ ସୃଷ୍ଟି କରିଛି। ଚଟାଣଠାରୁ ପ୍ରାୟ ୨ମିଟର ଉଚ୍ଚ ପର୍ଯ୍ୟନ୍ତ କାନ୍ଥରେ ଧଳା ଆବରଣ ଦେଖାଦେଇଛି। ଅଧିକାଂଶ ସମୟ କାନ୍ଥ ଓଦା ରହୁଛି। ଦୀପଧୂଆଁର ଏକ ଆସ୍ତରଣ କାନ୍ଥରେ ଜମାହୋଇ ରହୁଛି। ମନ୍ଦିର ଉପରେ ଥିବା ଫାଙ୍କଦେଇ ଗର୍ଭଗୃହରେ ପାଣି ପଶୁଛି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରୁ ବାହାରୁଥିବା ଶୀତଳ ପବନ ଗର୍ଭଗୃହ କାନ୍ଥ ପ୍ରତି ବିପଦ ସୃଷ୍ଟି କରୁଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ କୁହାଯାଇଛି। ଗତ ଜୁଲାଇ ମାସରେ ଏଏସ୍‌ଆଇ, ମନ୍ଦିର ପ୍ରଶାସନ, ପୂର୍ତ୍ତ ଏବଂ କୋର୍‌ କମିଟି ସଭ୍ୟମାନେ ଗର୍ଭଗୃହ ଯାଞ୍ଚ କରିଥିଲେ। ତାହାର ରିପୋର୍ଟ ଏବେ ପ୍ରଶାସନର ହସ୍ତଗତ ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହରୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଏବଂ ଦୀପ ସ୍ଥାନାନ୍ତର ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଗତ ମେ ୩ତାରିଖ ‘ଫଣି’ରେ ଗର୍ଭଗୃହରେ ପାଣି ଜମା ହୋଇଥିଲା। ଏଥିଯୋଗୁଁ ଦାରୁବ୍ରହ୍ମଙ୍କ ସେବାପୂଜା ଓ ନୀତିକାନ୍ତ ବାଧାପ୍ରାପ୍ତ ହୋଇଥିଲା। ମନ୍ଦିର ଉପରେ ଥିବା ଫାଙ୍କଦେଇ ଭିତରେ ପାଣି ପଶିଥିଲା। ଗର୍ଭଗୃହ କାନ୍ଥ ଏବଂ ଛାତରେ ଦେଖା ଦେଇଥିବା ଧଳା ଓ କଳା ଆବରଣ ବିପଦ ସୃଷ୍ଟି କରିଛି। ରତ୍ନସିଂହାସନ ପଛପଟେ କାନ୍ଥ ଝାଳଉଥିବା ଦେଖିବାକୁ ମିଳିଛି। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗପ୍ରତି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବିପଦ ସୃଷ୍ଟି କରୁଥିବା ସମ୍ପର୍କରେ କେତେକ ଦଇତାପତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବରେ ଠାକୁରଙ୍କୁ ଲାଗି ହେଉଥିବା ବସ୍ତ୍ର, ଫୁଲ ଏବଂ ଚନ୍ଦନ ଦୀର୍ଘସମୟ ଓଦାହୋଇ ରହୁଥିବା ସେମାନେ ଯୁକ୍ତି ବାଢିଥିଲେ। ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ସମାନ ମନ୍ତବ୍ୟ ଦେଖିବାକୁ ମିଳିଛି। ଗର୍ଭଗୃହ ତଳେ ରହିଥିବା ଜଳ ନିଷ୍କାସନ ନଳା ପୁନଃନିର୍ମାଣ ପାଇଁ ବିଶେଷଜ୍ଞ ପ୍ରସ୍ତାବ ଦେଇଛନ୍ତି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସ୍ଥାନାନ୍ତର ପାଇଁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିବା ଏଏସ୍‌ଆଇ ପ୍ରତ୍ନତତ୍ତ୍ବ ଅଧିକ୍ଷକ ଡଃ ଅରୁଣ କୁମାର ମଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯଥାଶୀଘ୍ର ଗର୍ଭଗୃହ ମରାମତି ଏବଂ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଦଇତାପତି ନିଯୋଗ ଦାବି କରିଛି। ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲିକ ମଙ୍ଗଳବାର ଗଣମାଧ୍ୟମରେ ମତ ରଖିଛନ୍ତି। ସେ କହିଲେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଏବଂ ମରାମତି ଦାୟିତ୍ବ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଛି। ଏଏସ୍‌ଆଇ କର୍ତ୍ତୃପକ୍ଷ ଯାହା ସହଯୋଗ ଚାହିଁବେ ରାଜ୍ୟ ସରକାର ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏଏସ୍‌ଆଇର ଏଭଳି ରିପୋର୍ଟକୁ ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ଇଂ ବିନ୍ଧେଶ୍ବର ପାତ୍ର ଅସ୍ବୀକାର କରିଛନ୍ତି। ଏୟାର ସର୍କୁଲେସନ ଯନ୍ତ୍ର ଲଗାଯିବା ଯୋଗୁଁ ଗର୍ଭଗୃହର ପ୍ରଥମ ମହଲା ପୂର୍ବାପେକ୍ଷା ଭଲଥିବା ସେ କହିଛନ୍ତି। ଗର୍ଭଗୃହ ଚଟାଣରେ ବାରମ୍ବାର ପାଣି ଢଳାଯିବା ଯୋଗୁଁ ପଥର ଓ କାନ୍ଥ ଓଦା ରହୁଥିବା ସେ ପ୍ରକାଶ କରିଛନ୍ତି। ଠାକୁରଙ୍କ ନୀତିକାନ୍ତି ପାଇଁ ଗର୍ଭଗୃହରେ ଗୋଟିଏ ଦୀପ ଲଗାଗଲେ କଳାଧୂଅଁା ହ୍ରାସପାଇବ ବୋଲି ସେ ମତ ଦେଇଛନ୍ତି।

Comments are closed.