ଶ୍ରୀକ୍ଷେତ୍ର ଓ ଶ୍ରୀସେତୁକୁ ସରକାରଙ୍କ ପ୍ରାଥମିକତା ରଥଯାତ୍ରା ପୂର୍ବରୁ ନବୀକରଣ ଶେଷ କରିବା ଲକ୍ଷ୍ୟ

ଭୁବନେଶ୍ୱର:ଶ୍ରୀକ୍ଷେତ୍ରର ନବୀକରଣ ପ୍ରକଳ୍ପରେ ପ୍ରସ୍ତାବିତ ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ନଭେମ୍ବରରୁ ଆରମ୍ଭ ହେବାକୁ ରହିଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ପ୍ରାୟ ୩୭ଏକର ପରିମିତ ଜମି ଉପରେ ନିର୍ମାଣ ହେବାକୁ ଥିବା ‘ଟ୍ରମ୍ପେଟ’(ତୂରୀ) ଆକୃତିର ଏହି ଶ୍ରୀସେତୁ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଜିଲା ପ୍ରଶାସନ ପକ୍ଷରୁ ତ୍ବରାନ୍ବିତ କରାଯାଉଛି। ଜାତୀୟ ରାଜପଥରରୁ ପୁରୀ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଶ୍ରୀସେତୁ ପାଇଁ ଆବଶ୍ୟକ ଜମି ମଧ୍ୟରୁ ପ୍ରାୟ ୬୫ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଅବଶିଷ୍ଟ ଜମି ଅଧିଗ୍ରହଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ସେହିପରି ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରାଯାଉଛି। ଇତିମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୦ପ୍ରତିଶତ ଉଚ୍ଛେଦ ହୋଇସାରିଛି। ତେବେ ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ ପଞ୍ଜାବର ସ୍ବର୍ଣ୍ଣମନ୍ଦିର ଢ଼ାଞ୍ଚାରେ ଆଲୋକସଜ୍ଜା ଓ ଖଣ୍ଡେଲାଇଟ ପଥରରେ ଚଟାଣ ନିର୍ମାଣ କରାଯିବାକୁ ସରକାରଙ୍କ ପ୍ରସ୍ତାବ ରହିଛି । ଏଥିପାଇଁ ଜଟଣୀଠାରେ ଶ୍ରୀମନ୍ଦିର ପ୍ରଶାସନ ଜମିରେ ଥିବା ଖଣ୍ଡେଲାଇଟ ପଥର ଖାଦାନ ଚିହ୍ନଟ ହୋଇଛି। ଖଣ୍ଡେଲାଇଟ ପଥରକୁ ନିର୍ଦିଷ୍ଟ ଆକାରରେ କାଟିବା ପାଇଁ ଏକ ସଂସ୍ଥା ସହିତ ସରକାରଙ୍କ ବୁଝାମଣା ହୋଇଛି। ଶ୍ରୀକ୍ଷେତ୍ରର ଉନ୍ନତିକରଣ ଓ ଶ୍ରୀସେତୁ ନିର୍ମାଣ ପାଇଁ ସବୁ ବର୍ଗର ଲୋକଙ୍କ ସହାୟତା ରହିଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ ଶ୍ରୀସେତୁ ପାଇଁ ଆବଶ୍ୟକ ପଡୁଥିବା ଜମି ମଧ୍ୟରେ ସରକାରଙ୍କର ୩.୭୩ଏକର ଜମି ରହିଥିବାବେଳେ ଶ୍ରୀଜଗନ୍ନାଥଙ୍କର ୧୪.୫୮ଏକର, ବିଭିନ୍ନ ମଠର ୬.୩୮ଏକର ଜମି ରହିଛି। ଏହାବାଦ୍ ୧୩.୨୮ଏକରର ଘରୋଇ ଜମି ରହିଛି । ଉକ୍ତ ଜମିସବୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଶ୍ରୀକ୍ଷେତ୍ରରୁ ୭୫ ମିଟର ଉଚ୍ଛେଦ ଓ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ୫ଜଣ ଆଇଏଏସ ଅଧିକାରୀଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କ ନେତୃତ୍ବରେ ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ କେତେ ବାସଗୃହ ଘରୋଇ ମାଲାକାନାରେ ରହିଛି ତାହା ମଧ୍ୟ ଚିହ୍ନଟ ହୋଇଛି। ଯେଉଁମାନେ ସରକାରଙ୍କ ପ୍ୟାକେଜରେ ରାଜି ହେଉଛନ୍ତି ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ସହାୟତା ଦେଇ ଜମି ଅଧିଗ୍ରହଣ କରାଯାଉଛି। ଜମି ଅଧିଗ୍ରହଣ ବେଳେ ଜିଲାପ୍ରଶାସନ ଅଧିକାରୀମାନେ ଘରଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରି ମୂଲ୍ୟାୟନ କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ପରିଧି ଭିତରେ ଥିବା ୧୮୦ଟି ପରିବାର ମଧ୍ୟରୁ ପ୍ରାୟ ୧୦୦ଟି ପରିବାର ଜମି ସରକାରଙ୍କୁ ହସ୍ତାନ୍ତର କରିବା ନେଇ ରାଜି ହୋଇଛନ୍ତି। ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.