ପଶ୍ଚିମ ଓଡିଶାର ନିଆରା ପର୍ବ ପୁରା ଉଆଁସ

ବୌଦ୍ଧ : ପଶ୍ଚିମ ଓଡିଶାର ନିଆରା ପର୍ବ ପୁରା ଉଆଁସ। ସପ୍ତପୁରୀ ଅମାବାସ୍ୟାର ଏହି ପାରମ୍ପରିକ ପର୍ବକୁ ନେଇ ବୌଦ୍ଧ ଜିଲାର ସମସ୍ତ ଗ୍ରାମ ଗୁଡିକ ଚଳ ଚଞ୍ଚଳ ହୋଇପଡିଥାଏ। ବୌଦ୍ଧ ଜିଲାରେ ସପ୍ତପୁରୀ ଅମାବାସ୍ୟା କୁ ପୂରା ଉଆଁସ ଭାବେ ପାଳନ କରାଯାଇଥାଏ। ପ୍ରତ୍ୟେକ ଗ୍ରାମରେ ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ଆରମ୍ଭ ହୋଇଥାଏ ଏହି ପର୍ବ। ଅପରାହ୍ନରେ ଛୋଟଛୋଟ ପୁଅ ପିଲାମାନେ କାଠ ଓ ମାଟିରେ ନିର୍ମତ ହାତୀ, ଘୋଡ଼ା, ମାଙ୍କଡ ଓ ଷଣ୍ଡ ଆଦିକୁ ଫୁଲ , ସିନ୍ଦୁର ଦେଇ ସଜ୍ଜିତ କରି ଖେଳିବାକୁ ବାହାରିଥାନ୍ତି। ଗ୍ରାମର ମନ୍ଦିର ପ୍ରାଙ୍ଗଣରେ କିମ୍ବା ବିଦ୍ୟାଳୟ ପରିସରରେ ଏହି ଖେଳ ଜମିଥାଏ। ପିଲାମାନେ ନିଜନିଜ ହାତୀ ଘୋଡ଼ା ମଧ୍ୟରେ ଲଢ଼େଇ କରାନ୍ତି। ଶେଷରେ କୁନିକୁନି ଝିଅମାନଙ୍କ ଠାରୁ ନିଜ ହାତୀ ଘୋଡ଼ା ପାଇଁ ଖାଦ୍ୟ ମାଗିଥାଆନ୍ତି। ଏପଟେ କୁନିକୁନି ଝିଅମାନେ ହାତରେ ଚାଙ୍ଗୁଡି ଓ କୂଲା ଧରି ଛୋଟ ଛୋଟ ମାଟି ନିର୍ମିତ ପାତ୍ରରେ ବିଭିନ୍ନ ଖାଦ୍ୟଶସ୍ୟ ଯଥା ମକା, ଶିମ୍ବ, ମୁଗ, କୋଳଥ, ଲିଆ, ସାତ ପ୍ରକାର ଚଣା ଧରି ସେଠାରେ ଏକତ୍ରିତ ହୋଇଥାଆନ୍ତି। ନିଜନିଜ ମଧ୍ୟରେ ଏହି ଖାଦ୍ୟକୁ ଆଦାନ ପ୍ରଦାନ କରିବା ସହ ପିଲାମାନଙ୍କୁ ବାଣ୍ଟିଥାଆନ୍ତି। ଏହି ନିଆରା ପରମ୍ପରା କୁଶାଣ ରାଜତ୍ୱ ସମୟରୁ ପାଳିତ ହୋଇ ଆସୁଥିବାର କୁହାଯାଏ। ଏହି ପର୍ବ ପାଳନ ମାଧ୍ୟମରେ ପିଲାମାନଙ୍କୁ ଯୁଦ୍ଧ ଓ ଝିଅମାନଙ୍କୁ ଘରକରଣାର ଶିକ୍ଷା ଦିଆଯାଉଥିଲା। ଏହି ପରମ୍ପରା ଭାଇ ଚାରାର ବାର୍ତ୍ତା ଦେବା ସହ ମିଳିମିଶି ଚଳିବାକୁ ଶିକ୍ଷା ଦେଇଥାଏ।

Comments are closed.