ରାଜସ୍ଥାନ ପରାସ୍ତ : ୧୨ ରନ୍‌ରେ ମ୍ୟାଚ ଜିତିଲା ପଞ୍ଜାବ

ମୋହାଲି : ଆଇପିଏଲ୍‌ ମ୍ୟାଚ୍‌ରେ ମଙ୍ଗଳବାର କିଙ୍ଗ୍‌ସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍‌ସକୁ ୧୨ ରନ୍‌ରେ ପଞ୍ଜାବ ପରାସ୍ତ କରିଛି । କେ.ଏଲ୍‌. ରାହୁଲ ଓ ଡେଭିଡ୍ ମିଲରଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କିଙ୍ଗ୍‌ସ ଏକାଦଶ ପଞ୍ଜାବ ୬ ୱିକେଟରେ ୧୮୨ ରନ୍ କରିଥିଲେ। ପରେ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ସତ୍ତ୍ବେ ରାଜସ୍ଥାନ ୭ ୱିକେଟରେ ୧୬୮ ରନ୍ କରି ପାରିଥିଲା। ୯ମ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୦ ପଏଣ୍ଟ ପାଇ ପଞ୍ଜାବ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ୮ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍‌ସ।
ରାଜସ୍ଥାନ ଦୃଢ଼ତାର ସହ ୧୮୩ ରନ୍‌ର ପିଛା ଆରମ୍ଭକ ଓପ୍‌ନିଂ ଯୋଡ଼ିରେ ୪ ଓଭରରେ ୩୮ ରନ୍ କରିଥିଲା। ଜୋସ୍ ବଟ୍‌ଲର ୧୭ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‌କରି ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ରାହୁଲ ତ୍ରିପାଠୀ ଓ ସଞ୍ଜୁ ସାମ୍‌ସନ ୫୯ ରନ୍ ଯୋଗ କରିଥିଲେ। ସାମ୍‌ସନ ୨୧ ବଲ୍‌ରୁ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ଓପ୍‌ନର ରାହୁଲ ତ୍ରିପାଠୀ ୧୬ ଓଭର ପର୍ଯ୍ୟନ୍ତ ବ୍ୟାଟିଂକରି ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ ହୋଇଥିଲେ। ତ୍ରିପାଠୀ ୪୫ଟି ବଲ୍‌ରୁ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ଏହାପରେ ଦୁଇ ବିଦେଶୀ ବ୍ୟାଟ୍‌ସମ୍ୟାନ୍ ଆଉଟ ହୋଇ ଯାଇଥିଲେ। ଜୀବନର ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳି ଆଷ୍ଟନ୍ ଟର୍ନର ୦ ଓ ଜୋଫ୍ରା ଆର୍ଚର ୧ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ପରେ ଷ୍ଟୁଆର୍ଟ ବିନ୍ନି ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ପାରିନଥିଲେ। ବିନ୍ନି ୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ଜୀବନର ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ରେ ଅର୍ସଦୀପ ସିଂହ ଓ ଆର୍. ଅଶ୍ବିନ ୨ଟି ଲେଖାଏଁ ୱିକେଟ ପାଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ରାଜସ୍ଥାନ ରୟାଲ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଓପ୍‌ନର କ୍ରିସ୍ ଗେଲ୍‌ଙ୍କ ବ୍ୟାଟ୍ ଗର୍ଜିଥିଲା। ଫଳରେ ୬ଷ୍ଠ ଓଭରରେ ପଞ୍ଜାବ ୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲା। ଗେଲ୍‌ ୨୨ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ପରେ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ୨ୟ ୱିକେଟ ପାଇଁ ୩୯ ରନ୍ ଯୋଡ଼ିଥିଲେ। ମୟଙ୍କ ସଂକ୍ଷିପ୍ତ ବିସ୍ଫୋରକ ଇନିଂସ ଖେଳି ୧୨ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍ କରିଥିଲେ। ୩ୟ ୱିକେଟ ପାଇଁ ରାହୁଲ ଓ ମିଲର ୮.୩ ଓଭରରେ ୮୫ ରନ୍ ଯୋଡ଼ିଥିଲେ। ବାମହାତି ମିଲର ୨୭ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୦ ରନ୍ କରିଥିଲେ। ରାହୁଲ ଧିମା ଇନିଂସ ଖେଳି ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ହେଁ ୪୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୫୨ ରନ୍ କରିଥିଲେ। ଶେଷ ଓଭରରେ ଅଧିନାୟକ ଆର୍. ଅଶ୍ବିନଙ୍କ ପ୍ରହାର ଯୋଗୁଁ ପଞ୍ଜାବ ୧୮୨ ରନ୍‌ରେ ପହଞ୍ଚି ପାରିଥିଲା। ଅଶ୍ବିନ ୨ଟି ଛକା ଓ ଗୋଟିଏ ଚୌକା ସହ ୪ ବଲ୍‌ରୁ ୧୭ ରନ୍‌କରି ଅପରାଜିତ ଥିଲେ। ଜୋଫ୍ରା ଆର୍ଚର ୩ଟି ୱିକେଟ ପାଇଥିଲେ।

Comments are closed.