କବାଟ ଖୋଲିବାରେ ବିଳମ୍ବ ହେବାରୁ ପତ୍ନୀଙ୍କୁ ଗୁଳି କଲେ ଡିଏସପି

ଚଣ୍ଡିଗଡ: ପଞ୍ଜାବର ମୋହଲରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ପଞ୍ଜାବ ପୁଲିସରେ ସିଂଘମ୍ ନାମରେ ପରିଚିତି ଡିଏସପି ଅତୁଲ ସୋନୀଙ୍କ ନାମରେ ହତ୍ୟା ଉଦ୍ୟମ ଓ ଆର୍ମ୍ସ ଆକ୍ଟ ଅମାନ୍ୟ ଅଭିଯୋଗ ହୋଇଛି। ଏକ ଛୋଟ କଥାରେ ପତ୍ନୀ ଉପରେ ଗୁଳି ଚଳାଇ ଡିଏସପି ଅତୁଲ ସୋନୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଏହି ଘଟଣା ଘଟିଛି। ଏକ ପାର୍ଟି ଯୋଗ ଦେଇ ଡିଏସପି ଅତୁଲ ବିଳମ୍ବିତ ରାତିରେ ଘରକୁ ​‌ଫେରିଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଘରେ ଶୋଇଥିବାରୁ କବାଟ ଖୋଲିବାରେ ଟିକେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଡିଏସପି ଅତୁଲଙ୍କ ରାଗ ମୁଣ୍ଡକୁ ଚଢି ଯାଇଥିଲା। ରାଗରେ ସେ ନିଜ ପତ୍ନୀ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ କୌଣିସମତେ ସେ ଖସି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏହା ପରେ ତାଙ୍କ ପତ୍ନୀ ମୋହାଲୀ ଥାନା ପେଜ-୮ରେ ଡିଏସପି ଅତୁଲଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଡିଏସପି ଅତୁଲ ବ୍ୟବହାର କରିଥିବା ବନ୍ଧୁକ ତାଙ୍କ ନିଜ ସର୍ଭିସ ବନ୍ଧୁକ ନଥିଲା ବରଂ ଏକ ବେଆଇନ ବନ୍ଧୁକ ଥିଲା। ସେହି ବନ୍ଧୁକକୁ ତାଙ୍କ ପତ୍ନୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ପରେ ଡିଏସପି ଅତୁଲ ଫେରାର ହୋଇ ଯାଇଥିବା ଜଣାପଡିଛି।

କେତେକ ପଞ୍ଜାବୀ ଫିଲ୍ମ ଓ ଭିଡିଓରେ କାମ କରିଥିବା ଡିଏସପି ଅତୁଲ ବଡି ବିଲି୍ଡିଙ୍ଗ ବା ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସେ ପଞ୍ଜାବ ପୁଲିସରେ ଖୁବ୍ ଚର୍ଚ୍ଚିତ। ପୂର୍ବରୁ ମଧ୍ୟ ସେ ଅନେକ ଥର ବିବାଦ ଘେରକୁ ଆସିଛନ୍ତି। ୨୦୧୨ ଜୁନରେ ସେ ଦିଲ୍ଲୀ ଏୟାରପୋର୍ଟରୁ ଆର୍ମ୍ସ ଆକ୍ଟ ମାମଲାରେ ଗିରଫ ହୋଇଥିଲେ। ୨୦୧୩ ମାର୍ଚ୍ଚରେ ତାଙ୍କ ନାମରେ କିଡ୍‌ନାପିଙ୍ଗ ମାମଲା ରୁଜୁ ହୋଇଥିଲା। କେବଳ ସେତିକି ନୁହେଁ, ଗତବର୍ଷ ମାର୍ଚ୍ଚରେ ଏକ ଦୁର୍ଘଟଣା ମାମଲାରେ ତାଙ୍କ ପୁଅ ଗିରଫ ହୋଇଥିଲେ।

Comments are closed.