ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ; ପାକିସ୍ତାନୀ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ କ୍ଷମା ଦେବେନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୋଦୀ ହାୱାକୁ ବାଧା ଦେଇଥିବା ଅଳ୍ପ କିଛି ରାଜ୍ୟଗୁଡ଼ିକ ମଧ୍ୟରୁ ପଞ୍ଜାବ ଅନ୍ୟତମ। ଏଠାରେ ମୋଟ ୧୩ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ହାତକୁ ୮ଟି ଆସନ ଯାଇଛି। ଏସବୁ ଆସନରେ ଦଳ ଭଲ ବ୍ୟବଧାନରେ ବିଜୟ ହାସଲ କରିଛି। ଏହା ମଧ୍ୟରେ କିନ୍ତୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ତୁତୁ ମେମେ ଜାରି ରହିଛି। ଟିକଟ ବଣ୍ଟନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ସିଦ୍ଧୁ ନିଜ ଦାୟିତ୍ଵ ସମ୍ପାଦନ କରିବାକୁ ସକ୍ଷମ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି। ସେ ଏକ ପ୍ରେସ ବିବୃତିରେ ଅମରିନ୍ଦର କହିଛନ୍ତି, ପାକିସ୍ତାନୀ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କଲେ ତାହାକୁ ଭାରତୀୟ ସେବକମାନେ ସହ୍ୟ କରିପାରିବେ ନାହିଁ।
ତେବେ ଅମରିନ୍ଦର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ଵକୁ ପ୍ରଶଂସା କରିଛନ୍ତି। କ’ଣ ପାଇଁ ଦଳ ପରାଜୟର ସମ୍ମୁଖୀନ ହେଲା ତାହାର ଅନୁଧ୍ୟାନ କରାଯିବ। ଗୁରୁଦାସପୁର ଆସନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକର ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କଠାରୁ ପରାଜିତ ହେବା ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି ଯେ, ସନ୍ନି ଦେଓଲ ଜଣେ ଭଲ ପ୍ରାର୍ଥୀ। କିନ୍ତୁ ସେହି ନିର୍ବାଚନମଣ୍ଡଳୀରେ ତାଙ୍କ ଦଳ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ହେଁ, ଲୋକେ ତାହା ନ ଦେଖି ଜଣେ ଅଭିନେତାଙ୍କୁ କିପରି ପସନ୍ଦ କଲେ ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି।