ଲୋକାୟୁକ୍ତ ବିଲକୁ ପଞ୍ଜାବ କ୍ୟାବିନେଟର ଅନୁମୋଦନ

ସମାଜ ପୋର୍ଟାଲ ଡେସ୍କ: ପଞ୍ଜାବ ବିଧାନସଭାର ଚାଲିଥିବା ଅଧିବେଶନରେ ଉପସ୍ଥାପନ ପାଇଁ ସୋମବାର ରାଜ୍ୟ କ୍ୟାବିନେଟ ଲୋକାୟୁକ୍ତ ବିଲ୍ -୨୦୨୦କୁ ସ୍ୱୀକୃତି ଦେଇଛି। ଏହି ବିଲ ବିଧାନସଭାର ଅନୁମୋଦନ ଲାଭ କଲେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ପଞ୍ଜାବ ଲୋକପାଳ ଆଇନ – ୧୯୯୬ ବଦଳରେ ଲୋକାୟୁକ୍ତ ଆଇନ -୨୦୨୦କାର୍ଯ୍ୟକାରୀ ହେବ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଙ୍କ ନିକଟରେ ଉତ୍ତରଦାୟୀ ରହିବେ। ତେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ଏହି ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାର ସଦସ୍ୟମାନଙ୍କ ଅନୁମୋଦନ ଆବଶ୍ୟକ ହେବ।

ସେଠାକାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି କ୍ୟାବିନେଟ ନିଷ୍ପତ୍ତି ଫଳରେ ପଞ୍ଜାବ ଲୋକପାଲ ଆଇନ,୧୯୯୬ ପ୍ରତ୍ୟାହୃତ ହେବ ସହ ନୂତନ ଲୋକପାଳ ଆଇନରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଦୁର୍ନୀତି ଯାଞ୍ଚ ପରିସର ମଧ୍ୟକୁ ଆସିବେ। ସେ କହିଛନ୍ତି ଯେ ଲୋକାୟୁକ୍ତ ସିଭିଲ୍ କୋର୍ଟ ସହ ସମକକ୍ଷ କ୍ଷମତା ପାଇବ। ତେବେ ସରକାରଙ୍କ ଦ୍ୱାରା ପୂର୍ବରୁ ତଦନ୍ତ କରାଯାଉଥିବା ମାମଲାର ସମାନ୍ତରାଳ ଯାଞ୍ଚ କରିବାର ଅଧିକାର ଲୋକାୟୁକ୍ତଙ୍କୁ ମିଳିବ ନାହିଁ।

ଏହି ଲୋକାୟୁକ୍ତରେ ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଵିଚାରପତି ଅଧ୍ୟକ୍ଷ ରହିବେ ଓ ଅନ୍ୟ ତିନି ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ସଦସ୍ୟମାନଙ୍କ ମଧ୍ୟରୁ ଜଣେ ସଦସ୍ୟ ଅନୁସୂଚିତ ଜାତି କିମ୍ବା ପଛୁଆ ବର୍ଗ, ସଂଖ୍ୟାଲଘୁ କିମ୍ବା ମହିଳାମାନଙ୍କ ମଧ୍ୟରୁ ହୋଇଥିବା ଆବଶ୍ୟକ। ଏହି ଲୋକାୟୁକ୍ତ ପାଇଁ ସଦସ୍ୟ ଚୟନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତା, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ପଞ୍ଜାବ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ବିଶିଷ୍ଟ ଆଇନଜୀବୀଙ୍କୁ ନେଇ ଗଠିତ କମିଟି ନିଷ୍ପତ୍ତି ଗ୍ରହଣ କରିବେ। କମିଟିର ସୁପାରିଶ କ୍ରମେ ରାଜ୍ୟପାଳ ଲୋକାୟୁକ୍ତର ସଦସ୍ୟମାନଙ୍କୁ ନିଯୁକ୍ତି ଦେବେ।

Comments are closed.