ପିଏମସି ବ୍ୟାଙ୍କ ଉପରେ ଆରବିଆଇର ପ୍ରତିବନ୍ଧକ, ୧୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେନି ଗ୍ରାହକ

ନୂଆଦିଲ୍ଳୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (ପିଏମସି) ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କ୍ରମରେ ପିଏମସି ବ୍ୟାଙ୍କର ଗ୍ରାହକମାନେ ମୋଟ ଜମାରୁ ୧୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେ ନାହିଁ। ଏହି ପ୍ରତିବନ୍ଧକ ୬ ମାସ ପାଇଁ ଲାଗିଛି।

ଆରବିଆଇର ନିର୍ଦେଶ ଅନୁସାରେ ପିଏମସିର ଗ୍ରାହକମାନେ ସଞ୍ଚୟ, ଚାଲୁ ଏବଂ ଅନ୍ୟ ଜାମା ଖାତାର ଗ୍ରାହକ ୬ ମାସ ପର୍ଯ୍ୟନ୍ତ ମୋଟ ଜମାରୁ ୧୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେ ନାହିଁ। ଏହାସହ ଆରବିଆଇ ବ୍ୟାଙ୍କର ଅଗ୍ରୀମ ଦେବା ଏବଂ ଋଣ ଦେବା ଉପରେ ପ୍ରତିବନ୍ଧକ ଲଗାଇଛି। ଏପରିକି ବ୍ୟାଙ୍କ ପୁରୁଣା ଋଣ ନବୀକରଣ କରିପାରିବ ନାହିଁ। କେବଳ ପିଏମସି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ତାର ଲାଇସେନ୍ସ ରଦ୍ଦ କରାଯାଇନାହିଁ ବୋଲି ଆରବିଆଇ କହିଛି। ଆରବିଆଇର ସୂଚନା ଅନୁସାରେ ପିଏମସି ବ୍ୟାଙ୍କର ୨୦୧୮-୨୦୧୯ କ୍ଷତି ୧.୨୦% ହ୍ରାସ ପାଇ ୯୯.୬୯ କୋଟି ଟଙ୍କା ରହିଛି। ବ୍ୟାଙ୍କ ଏନପିଏ ବହୁ କମ ଦର୍ଶାଇଥିବା ଅଭିଯୋଗ ରହିଛି। ଆରବିଆଇର ନିଷ୍ପତ୍ତି ପିଏମସି ବ୍ୟଙ୍କ ଗ୍ରାହକଙ୍କ ମହଲରେ ଭୟ ଖେଳାଇ ଦେଇଛି। ବ୍ୟାଙ୍କର ବିଭିନ୍ନ ଶାଖାରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା କୁହାଯାଉଛି। ବ୍ୟାଙ୍କ ଏମଡି ଜୟ ଥୋମାସ କହିଛନ୍ତି ଯେ ଆରବିଆଇ ନିୟମର ଉଲ୍ଲଙ୍ଘନ କରିଥିବାରୁ ଆମେ ଦୁଃଖିତ। ଗ୍ରାହକଙ୍କୁ ୬ ମାସ ସମସ୍ୟା ଭୋଗିବାକୁ ପଡ଼ିବ। ଏଥିପାଇଁ ମୁଁ ନିଜକୁ ଦାୟୀ କରୁଛି।

ଉଲ୍ଲେଖଯୋଗ୍ୟ ଯେ ୧୯୮୪ରେ ପିଏମସି ବ୍ୟାଙ୍କ ପ୍ରତିଷ୍ଠା ଲାଭ କରିଥିଲା। ଏହି ବ୍ୟାଙ୍କର ୬ଟି ରାଜ୍ୟରେ ୧୩୭ଟି ଶାଖା ରହିଛି। ବିଶେଷ କରି ଗୋଆ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ବ୍ୟାଙ୍କର ଶାଖା ରହିଛି। ପିଏମସି ବ୍ୟାଙ୍କ ଦେଶର ଶୀର୍ଷ ୧୦ କୋପରେଟିଭ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ରହିଛି।

Comments are closed.