ଜାକର୍ତ୍ତା ଏସିଆଡ଼ ; ବଜରଙ୍ଗ ପୁନିଆ ଜିତିଲେ ପ୍ରଥମ ସ୍ବର୍ଣ୍ଣ

0

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ କୁସ୍ତିରେ ବଜରଙ୍ଗ ପୁନିଆ ଭାରତ ପାଇଁ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି।  ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୬୫କେଜି ବିଭାଗରେ ବଜରଙ୍ଗ ସ୍ୱର୍ଣ୍ଣପଦକ ଜିତିଛନ୍ତି। ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ବଜରଙ୍ଗ ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ଜାପାନର ତାକାତାନି ଦାଇଚିଙ୍କୁ ୧୧-୮ ପଏଣ୍ଟରେ ପରାସ୍ତ କରିଛନ୍ତି। ଗତ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଏସୀୟ କ୍ରୀଡ଼ାରେ ଉକ୍ତ କୃତିତ୍ୱ ବଜାୟ ରଖିଛନ୍ତି।

ଫାଇନାଲ ମୁକାବିଲାରେ ବଜରଙ୍ଗ ଓ ଦାଇଚିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ ରାଉଣ୍ଡରେ ହରିୟାଣାର ପହିଲମାନ ବଜରଙ୍ଗ ପୁନିଆ ପ୍ରଥମେ ୪ ପଏଣ୍ଟରେ ଆଗୁଆ ରହିଥିବା ବେଳେ ଆଉ ୨ ପଏଣ୍ଟ ଯୋଗାଡ଼କରି ୬-୦ ପଏଣ୍ଟରେ ଆଗୁଆ ହୋଇଥିବା ବେଳେ ସେ ସହଜରେ ଜିତିବେ ବୋଲି ଆଶା କରା ଯାଉଥିଲା। ତେବେ ଜାପାନୀ ପହିଲମାନ ଦାଇଚି ପରେ ଲଢ଼ୁଆ ପ୍ରଦର୍ଶନ କରି ମୁକାବିଲାକୁ ଫେରିଥିଲେ। ଦାଇଚି ୪ ଓ ୨ ପଏଣ୍ଟ ଜିତି ସ୍କୋର୍‍କୁ ୬-୬ କରିଥିଲେ। ପରେ ବଜରଙ୍ଗ ୮-୬ ପଏଣ୍ଟରେ ଆଗୁଆ ହୋଇଥିବା ବେଳେ ଆଉ ୨ ପଏଣ୍ଟ ଜିତି ୧୦-୬ରେ ଆଗୁଆ ହୋଇଥିଲେ। ପରେ ଦାଇଚି ୨ ପଏଣ୍ଟ ଜିତି ସ୍କୋର୍‍କୁ ୧୦-୮ କରିଥିଲେ ହେଁ ଶେଷ ୪୦ ସେକେଣ୍ଡ ବଜରଙ୍ଗ ରକ୍ଷଣାତ୍ମକ ପ୍ରଦର୍ଶନ କରି ଆଉ ୧ ପଏଣ୍ଟ ପାଇଁ ୧୧-୮ରେ ମୁକାବିଲା ଜିତିନେବା ସହ ଦେଶକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ବଜରଙ୍ଗ ପୁନିଆ ରୌପ୍ୟପଦକ ଜିତିଥିବା ବେଳେ ଏଥର ସ୍ୱର୍ଣ୍ଣପଦକ ଜିତି ଆଉ ପାଦେ ଆଗେଇ ଯାଇଛନ୍ତି। ୨୦୧୭ ଏସୀୟ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣପଦକ ଜିତିଥିଲେ। ଫାଇନାଲକୁ ଉନ୍ନୀତ ହେବା ପଥରେ ବଜରଙ୍ଗ ତାଙ୍କର ୩ଟିଯାକ ମୁକାବିଲାକୁ ସହଜରେ ଜିତିଥିଲେ। ବଜରଙ୍ଗ ସେମିଫାଇନାଲରେ ମଙ୍ଗୋଲିଆର ବାଦ୍‍ଚୁଲୁନ ବାତ୍‍ମାଗ୍‍ନାଇଙ୍କୁ ୧୦-୦ ପଏଣ୍ଟରେ ପରାସ୍ତ କରିଥିବାବେଳେ କ୍ୱାର୍ଟରଫାଇନାଲରେ ତାଜିକିସ୍ତାନର ଫୈଜିଏଭ୍‍ ଅବଦୁଲକ୍ୱାସିମଙ୍କୁ ୧୨-୨ ପଏଣ୍ଟରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ବଜରଙ୍ଗ ଉଜ୍‍ବେକିସ୍ତାନର ସିରୋଜିଦ୍ଦିନ ଖାସାନୋଭ୍‍ଙ୍କୁ ୧୩-୩ ପଏଣ୍ଟରେ ପରାସ୍ତକରି ଅଭିଯାନ ଆରମ୍ଭ କରିଥିଲେ। ବଜରଙ୍ଗ ପୁନିଆ ୧୮ଶ ଏସୀୟ କ୍ରୀଡ଼ାରେ ଦେଶକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇବା ପରେ ଚାରିଆଡ଼ୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

 

Leave A Reply