ଯୌନ ଶୋଷଣ ମାମଲାରେ ମୌଲବୀ ଗିରଫ, ୩୬ ନାବାଳକ ଉଦ୍ଧାର

0

ମୁମ୍ବଇ : ମହାରାଷ୍ଟ୍ରର ପୁଣେଠାରେ ଏକ ମୁସଲିମ୍‍ ଅନାଥାଶ୍ରମରେ ପିଲାଙ୍କୁ ଯୌନ ଶୋଷଣ ମାମଲାରେ ପୁଲିସ୍‍ ଜଣେ ମୌଲବୀଙ୍କୁ ଗିରଫ କରିଛି। ସେହି ଅନାଥାଶ୍ରମରୁ ୩୬ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁସାରେ ଆଶ୍ରମରେ ପିଲାଙ୍କୁ ଯୌନ ଶୋଷଣ କରାଯାଉଥିଲା। ଆଶ୍ରମର ଅଧିକାଂଶ ପିଲା ବିହାରର ଓ ଅନାଥ। ଫଳରେ ମାନବଚାଲଣ କ୍ରମେ ସେମାନଙ୍କୁ ଏଠାକୁ ଅଣାଯାଇଥିବା ଆଶଙ୍କା କରାଯାଉଛି। ସମସ୍ତ ନାବାଳକଙ୍କୁ ପଚରାଉଚୁରା ପରେ ଶିବାଜୀନଗର ସୁଧାର ଗୃହକୁ ପଠାଇ ଦିଆଯାଇଛି। ପୂର୍ବରୁ କେତେକ ପିଲା ଆଶ୍ରମରୁ ଖସି ପଳାଇଥିବା ଆଶଙ୍କା କରାଯାଉଛି। ଏହି ଆଶ୍ରମରେ ମାଦ୍ରାସା ଭଳି ଧାର୍ମିକ ଶିକ୍ଷା ଦିଆଯାଉଥିଲା। କେତେକ ପିଲା ଆଶ୍ରମରୁ ଖସି ପୁଣେ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଏକ ସ୍ୱେଚ୍ଛାସେବୀ ସଂଗଠନର ଲୋକେ ପିଲାଙ୍କୁ ଦେଖି ପଚରାଉଚୁରା କରିବାରୁ ପିଲାମାନେ ସବୁ କଥା କହିଥିଲେ। ଏନେଇ ସେମାନେ ପୁଲିସ୍‍କୁ ଅବଗତ କରାଇଥିଲେ। ଏହାପରେ ପୁଣେ ପୁଲିସ୍‍ କୋଣ୍ଡୱା ଥାନା ଅଞ୍ଚଳରେ ଜମିତୁଲ ଖୈରିୟା ଅଲ ଇସଲାମିୟା ଏଜୁକେସନ୍‍ ଦ୍ୱାରା ପରିଚାଳିତ ଉକ୍ତ ଆଶ୍ରମ ଉପରେ ଶୁକ୍ରବାର ସନ୍ଧ୍ୟାରେ ଚଢାଉ କରିଥିଲା। ସେଠାରୁ ୩୬ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି।

Leave A Reply