ଛୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ ଘରେ ପଶି ହତ୍ୟା କଲେ ଆତଙ୍କବାଦୀ

0

ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସିଆରପିଏଫ ଯବାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ମୃତ ଯବାନଙ୍କ ନାମ ନାସିର ଅହମଦ ରାଦର ସେ କିଛି ଦିନ ତଳେ ଘରକୁ ଛୁଟିରେ ଆସିଥିଲେ। ସୂଚନା ଅନୁସାରେ ଆତଙ୍କବାଦୀମାନେ ନୈରା ପୁଲୱାମାଠାରେ ନାସିରଙ୍କ ଘରେ ପଶି ତାଙ୍କୁ ଗୁଳି ମାରିଥିଲେ। ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ପୁଲୱାମା ଜିଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାସିର କାଶ୍ମୀର ସିଆରପିଏଫର ୧୮୨ ବାଟାଲିୟନ ସହ ପୁଲୱାମାରେ ମୁତୟନ ଥିଲେ। ସୁରକ୍ଷା ବାହିନୀଙ୍କ ମନବଳ ଭାଙ୍ଗିବା ନିମନ୍ତେ ଗତ କିଛି ଦିନ ଧରି ଆତଙ୍କବାଦୀମାନେ ସୁରକ୍ଷାବାହିନୀକୁ ନିଶାଣ କରୁଛନ୍ତି। କାଶ୍ମୀରରେ ମାତ୍ର କେତେ ଦିନ ମଧ୍ୟରେ ଏହା ହେଉଛି ୪ର୍ଥ ସୁରକ୍ଷା କର୍ମୀଙ୍କ ହତ୍ୟା।
ଏକ ସପ୍ତାହ ପୂର୍ବେ କୁଲଗାମର ମୁତାଲହମାଠାରେ ପୁଲିସ କନଷ୍ଟେବଳ ସଲିମ ସାହାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ କହିଛି, କାଠୁଆଠାରେ ଏକ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପରେ ସଲିମ ଛୁଟି ନେଇ ନିଜ ଘରକୁ ଚାଲିଯାଇଥିଲେ। ଜୁଲାଇ ୨୦-୨୧ ରାତିରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ତାଙ୍କୁ ତାଙ୍କ ସେଠାରୁ ଉଠାଇନେଇ ହତ୍ୟା କରିଥିଲେ। ଜୁଲାଇ ୬ରେ କନଷ୍ଟେବଳ ଜାଭେଦ୍‍ ଅହମ୍ମଦ ଦର ମଧ୍ୟ ଛୁଟିରେ ଥିବାବେଳେ ସୋପିଆନର ବେହିଲଠାରୁ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପରଦିନ ତାଙ୍କ ମୃତଦେହ କୁଲଗାମର ପରିୱାନଠାରୁ ଉଦ୍ଧାର କରାଯାଇଥିଲା। ସେନା ଯବାନ ଔରଙ୍ଗଜେବଙ୍କ ହତ୍ୟା ପରଠାରୁ ଏହି ପ୍ରକ୍ରିୟା ଜାରି ରହିଛି।

Leave A Reply