ଲଘୁଚାପ ବର୍ଷାରେ ଧୋଇଗଲା ମୁଗ ଫସଲ, ଚିନ୍ତାରେ ଚାଷୀ    

ବାଙ୍କୀ : ଚଳିତ ବର୍ଷ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରଥମେ ମହାନଦୀର ମହାବନ୍ୟା ବାଙ୍କୀ ଚାଷୀଙ୍କ ମେରୁଦଣ୍ଡ ଦୋହୋଲାଇ ଦେଇଥିବା ବେଳେ ବର୍ତ୍ତମାନର ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମନୋବଳ ଭାଙ୍ଗି ଦେଇଛି । ସୂଚନା ଥାଉକି ଚଳିବର୍ଷ ମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବା ସହିତ ହେକ୍ଟର ହେକ୍ଟର ଧାନ ଚାଷ ଜମି ଉଜୁଡି ଯାଇଥିଲା । ଫଳରେ ଚାଷୀକୂଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବର୍ଷ ଜାକର ଆହାର ପାଇବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିôବା ଲଘୁଚାପ ପ୍ରଭାବରେ ବାଙ୍କୀର ବିଭିନ୍ନ ପ୍ରାନ୍ତର ବିଲଗୁଡିକରେ କରାଯାଇଥିବା ବିରି, ମୁଗ ଫସଲ ସହିତ ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବନ୍ୟାଯୋଗୁ ଜମିରେ ପଟୁମାଟି ଚଢ଼ି ଯାଇଥିବା ବେଳେ ଚାଷୀମାନେ ଭଲ ବିରି, ମୁଗ ଅମଳ କରିବା ନେଇ ଚଳିତ ବର୍ଷ ଆଶାବାଦୀ ଥିଲେ । ଫଳରେ ବାଙ୍କୀର ବିଭିନ୍ନ ଅଞ୍ଚଳରେ ଥିବା ବିରିମୁଗ ପାଇଁ ଉନ୍ନତ ଜମିଗୁଡିକରେ ଚାଷୀମାନେ ବିହନ ବୁଣିଥିଲେ । ଅନେକ ସ୍ଥାନରେ ପୂର୍ବରୁ ବୁଣାଯାଇଥିବା ବିହନ ମଞ୍ଜି ଗଜା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜମିରେ ହୋଇଥିବା ଗଜା ଗୁଡିକ ପୋଚରୀ ଯିବାକୁ ବସିଲାଣି । ଅନ୍ୟପଟେ ନୂତନ କରି ବୁଣାଯାଇଥିବା ମଞ୍ଜିଗୁଡିକ ବର୍ଷ ଜଳରେ ଧୋଇଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ସରକାରୀ ସ୍ତରରେ ସରକାରୀ ବିହନ ସଠିକ୍ ରୂପରେ ମିଳୁନଥିବା ବେଳେ ଚାଷୀମାନେ ଧାର ଉଦ୍ଧାର କରି ବିହନ ଯୋଗାଡ କରି ବିଲରେ ମଞ୍ଜି ବୁଣିଥିଲେ । କିନ୍ତୁ ବର୍ଷା ପ୍ରଭାବରେ ଏଗୁଡିକ ନଷ୍ଟ ହୋଇଥିବା ହେତୁ ଚଳିତ ବର୍ଷ ବିରି, ମୁଗ ଅମଳକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି । କୃଷି ବିଭାଗ ଚାଷୀଙ୍କ ହିତ ଦୃଷ୍ଟିରୁ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

Comments are closed.