ବିଗ୍‍ ବିଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା

ମୁମ୍ବଇ: ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ କାମନା କରି ଭୋପାଳ, ମୁମ୍ବଇ, ବାରାଣସୀ ଓ ଭୀଲୱାଡ଼ା ଆଦି ସହରରେ ପୂଜା, ଅଭିଷେକ ଓ ପ୍ରାର୍ଥନା କରାଯାଇଛି। ଭୋପାଳ ହେଉଛି ବିଗ୍‍ ବିଙ୍କ ଶ୍ୱଶୁରଘର ଏବଂ ଏଠାକାର ଟିଟିନଗର ଅଞ୍ଚଳରେ ଥିବା ନୌ ଦୁର୍ଗା ମନ୍ଦିରରେ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ରବିବାର ରୁଦ୍ରାଭିଷେକ କରାଯାଇଛି।

ମନ୍ଦିର ପରିଚାଳକ ଚନ୍ଦ୍ରଶେଖର ତିୱାରୀ କହିଛନ୍ତି, ଅମିତାଭ ଦେଶର ଗର୍ବ। ସେ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। କରୋନା ସଂକ୍ରମଣରୁ ଶୀଘ୍ର ସୁସ୍ଥ ହୋଇ ସେ ଘରକୁ ଫେରନ୍ତୁ ବୋଲି ଆମେ ଭଗଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ଟିଟିନଗର ସ୍ଥିତ ମନ୍ଦିରରେ ମୋବାଇଲରେ ଅଭିତାଭଙ୍କ ଫଟୋ ସହ ଭଗବାନ ଶିବଙ୍କ ଅଭିଷେକ କରି ତାଙ୍କ ସୁସ୍ଥ ହେବା ନେଇ ପ୍ରାର୍ଥନା କରାଯାଇଛି।

ସେହିପରି ମୁମ୍ବଇର ବୋରିୱଲୀ ଅଞ୍ଚଳରେ ଅମିତାଭ ଓ ଅଭିଷେକଙ୍କ ଶୀଘ୍ର ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ସହ ପୂଜା କରିଛନ୍ତି ତାଙ୍କ ପ୍ରଶଂସକ।

ରାଞ୍ଚୀରେ ବିଗ୍‍ ବି ଓ ଅଭିଷେକଙ୍କ ଫଟୋ ସହ ତାଙ୍କ ପ୍ରଶସଂକମାନେ ହୋମ ଯଜ୍ଞ କରିଛନ୍ତି। ଲୋକମାନେ ହାତରେ ପ୍ଲାକାର୍ଡ଼ ଧରି ବଚ୍ଚନ ପରିବାର ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମେସେଜ୍‍ ମଧ୍ୟ ଦେଇଛନ୍ତି।

Comments are closed.