ଚତୁର୍ଥ କଂଗ୍ରେସ ବିଧାୟକଙ୍କ ଇସ୍ତଫା, ସଂକଟରେ ପୁଡୁଚେରୀ ସରକାର

ପୁଡୁଚେରୀ: ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଶାସକ ଦଳ କଂଗ୍ରେସ ବିଭାଜନର ସମ୍ମୁଖୀନ ହେବାକୁ ଯାଉଛି। ମଙ୍ଗଳବାର ଦଳରୁ ୪ ବିଧାୟକ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ବାମୀଙ୍କ ଘନିଷ୍ଠ ଭାବେ ପରିଚିତ କରୋଜ ନଗର ବିଧାୟକ ଏ. ଜନ୍‌କୁମାର। ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ରାହୁଲ୍‌ ଗାନ୍ଧୀ ପୁଡୁଚେରୀରେ ପହଞ୍ଚିବା ପୂର୍ବରୁ ହିଁ ଦଳରେ ଏହି ସଂକଟ ସୃଷ୍ଟି ହୋଇଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମଲ୍ଲାଡ଼ି କୃଷ୍ଣ ରାଓ ଉଭୟ ମନ୍ତ୍ରିପଦ ଓ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ପୂର୍ବରୁ ଅନ୍ୟ ଦୁଇ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ। ଜଣେ ବିଧାୟକ ଦଳବଦଳ ଆଇନାନୁସାରେ ସଭ୍ୟପଦ ହରାଇଥିଲେ। ବିଧାନସଭାର ୩୦ ଆସନ ମଧ୍ୟରୁ କଂଗ୍ରେସ ଓ ଡିଏମ୍‌କେ ମେଣ୍ଟର ୧୬ ବିଧାୟକ ଥିଲାବେଳେ ବିରୋଧୀ ଦଳ ବିଧାୟକଙ୍କ ସଂଖ୍ୟା ୧୪ ରହିଛି। ଏବେ ସରକାରୀ ଦଳର ସଂଖ୍ୟା ୧୦କୁ ଖସିଆସିଛି। ୨୦୧୬ ନିର୍ବାଚନରେ କଂଗ୍ରେସ ମୋଟ ୧୫ ଆସନରେ ବିଜୟୀ ହୋଇଥିଲା। ସରକାର ଏବେ ସଂକଟ ମଧ୍ୟକୁ ଠେଲି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ କ୍ୟାବିନେଟ ବୈଠକ ଆହ୍ବାନ କରିଛନ୍ତି।

Comments are closed.