ଦିଲ୍ଲୀ ଏନସିଆରରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା, ମାସ୍କ ବିନା ଘରୁ ବାହାରିବା କଷ୍ଟକର

ନୂଆଦିଲ୍ଲୀ: ବିଷାକ୍ତ ଗ୍ୟାସ ବଳୟରେ ରହିଛି ରାଜଧାନୀ ନୂଆଦିଲ୍ଲୀ। ଦିପାବଳୀ ପରଠାରୁ ପ୍ରଦୂଷଣ ବଢ଼ିବା ପରେ ସହରର ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସର ଆସ୍ତରଣ ସୃଷ୍ଟି ହୋଇଛି। ଫଳରେ ଏବେ ବିନା ମାସ୍କରେ ଲୋକେ ଘରୁ ବାହାରିକା କଷ୍ଟକର ହେଉଛି। ବିଶେଷ କରି ଦିଲ୍ଲୀର ଏନସିଆର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ସର୍ବାଧିକ ରହିଛି, ଯେଉଁଥିପାଇଁ ସୁପ୍ରିମକୋର୍ଟଙ୍କ ଏକ ପ୍ୟାନେଲ ତଥା ପରିବେଶ ପ୍ରଦୂଷଣ ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଏହି ଅଞ୍ଚଳରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସହରରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ଛଠ୍‌ ପୂଜା ସମୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

Image Courtesy: Amar ujala

ଗୁରୁବାର ରାତିରେ ଦିଲ୍ଲୀ ଏନସିଆରରେ ବାୟୁର ମାନ ଅତ୍ୟଧିକ ଖରାପ ହୋଇଯିବା ସହିତ ଏହା ଗମ୍ଭୀର ସ୍ଥିତିରେ ପହଞ୍ଚିଥିଲା। ପରିବେଶ ପ୍ରଦୂଷଣ ପ୍ରାଧିକରଣ ଅଧ୍ୟକ୍ଷ ଭୁରେ ଲାଲ ଉତ୍ତର ପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସତର୍କ କରାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେ ଏହାକୁ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଗ୍ରହଣ କରିବା ଉଚିତ। କାରଣ ବାୟୁ ପ୍ରଦୂଷଣ ସମସ୍ତଙ୍କ ଉପରେ ଖାସ୍‌ କରି ଆମ ପିଲାମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୫ ପର୍ଯ୍ୟନ୍ତ ହଟ୍‌ ମିକ୍ସ ପ୍ଲାଣ୍ଟ ଏବଂ କ୍ରଶର ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଜରୁରିକାଳୀନ ସେବାଗୁଡ଼ିକୁ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ଜେନେରେଟର ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦେଶ ଜାରି କରିଛି।

Comments are closed.