‘ଦେଶର ନିରନ୍ତର ବିକାଶ ପାଇଁ ସାମାଜିକ ଓ ଅର୍ଥନୈତିକ ସମାନତା ଦୂର ପାଇଁ ପ୍ରୟାସ ଜାରି ରଖିବା ଆବଶ୍ୟକ’

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଏକବିଂଶ ଶତାବ୍ଦୀରେ ଭାରତୀୟ ଲୋକ ପ୍ରଶାସନ: ଭାରତ ପାଇଁ ଆହ୍ବାନ ଓ ବିକଳ୍ପ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଜନସାଧାରଣଙ୍କୁ ପରିଚାଳନା କରିବା ପାଇଁ ଏକ ପ୍ରଶାସନିକ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ଦେଶ ସ୍ୱାଧୀନ ସମୟରେ ବିଖଣ୍ଡିତ ପ୍ରଦେଶର ଏକତ୍ରୀକରଣ ଏବଂ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ଗୁଡ଼ିକୁ ସୁପରିଚାଳନା ହିଁ ଆମ ପ୍ରାଶାସନିକ ଦକ୍ଷତା ନୈପୁଣ୍ୟର ଅନନ୍ୟ ନିଦର୍ଶନ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଗୁଡିକର ବିକାଶକୁ ଗୁରୁତ୍ବ ଦେବା ପାଇଁ କେନ୍ଦ୍ର ସରକାର ଆଗଭର ହେବା ଉଚିତ। ଦେଶର ନିରନ୍ତର ବିକାଶ ପାଇଁ ସାମାଜିକ ଓ ଅର୍ଥନୈତିକ ସମାନତା ଦୂର ପାଇଁ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି ନୂଆଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲସାଇନ୍ସର ସେଣ୍ଟର ଫର ପବ୍ଲିକ ପଲିସି ଆଣ୍ଡ ଗର୍ଭର୍ଣ୍ଣାନ୍ସ ପ୍ରଫେସର ରୁମ୍‌କି ବସୁ ପ୍ରକାଶ କରିଛନ୍ତି।
ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଏବଂ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଓଡ଼ିଶା ଶାଖା ପକ୍ଷରୁ ବାଣୀବିହାରସ୍ଥିତି ଇନୋଭେସନ ଆଣ୍ଡ ଇନକ୍ୟୁଭେସନ ସେଣ୍ଟରଠାରେ ‘ଏକବିଂଶ ଶତାବ୍ଦୀରେ ଭାରତୀୟ ଲୋକ ପ୍ରଶାସନ: ଭାରତ ପାଇଁ ଆହ୍ବାନ ଓ ବିକଳ୍ପ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଫେସର ରୁମ୍‌କି ବସୁ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଏକବିଂଶ ଶତାବ୍ଦୀରେ ପୃଥିବୀର ଅନ୍ୟ ଦେଶଗୁଡ଼ିକ ପାଇଁ ମାର୍ଗ ଦର୍ଶନ କରିବ। ଏହା ଦେଶର ନିରନ୍ତର ବିକାଶ ଉପରେ ଗୁରୁତ୍ବ ଦେବା ସହ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବା ପାଇଁ ଏକ ସୁଦୃଢ଼ ପ୍ରଶାସନିକ ବ୍ୟବସ୍ଥା ପ୍ରଦାନ କରିଥାଏ। ଭାରତୀୟ ସମ୍ବିଧାନର ନମନୀୟତା ହିଁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ସମୟାନୁସାରେ ଏହାର ସଂଶୋଧନ ହିଁ ଏହାର ଅଦ୍ୱିତୀୟ ପରିଚୟ ବୋଲି ସେ କହିଥିଲେ।


ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଥିଲେ ଯେ ସାମାଜିକ ଓ ଅର୍ଥନୈତିକ ଅସମାନତା ଆଜି ବି ସମାଜରେ ଦେଖିବାକୁ ମିଳୁଛି। ସେହିପରି ବିଭିନ୍ନ ରାଜ୍ୟରେ ମାଓ ସମସ୍ୟା ମଧ୍ୟ ଦେଶ ପାଇଁ ଆଉ ଏକ ଆହ୍ବାନ ଭାବେ ଉଭା ହୋଇଛି। ଲୋକ ପ୍ରଶାସନ ପକ୍ଷରୁ ଏସବୁ ସମସ୍ୟ ସମାଧାନ ପାଇଁ ବିକଳ୍ପ ଯୋଜନା ପ୍ରସ୍ତୁତ ସହ ତାହା କାର୍ଯ୍ୟକାରୀ କରିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ।
ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ(ଆଇଆଇପିଏ) ଓଡ଼ିଶା ଶାଖା ସମ୍ପାଦକ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚେୟାରମ୍ୟାନ ଡ.ଅରୁଣ କୁମାର ରଥ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଡ.ଜ୍ୟୋର୍ତିମୟୀ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେରେ ‘ଏଡୁକେସନ୍ ଇନ୍ ଇଣ୍ଡିଆ: ଚାଲେଞ୍ଜେସ ଆଣ୍ଡ ପ୍ରସ୍‌ପେକ୍‌ଟ୍ସ ପୁସ୍ତକ ଉନ୍ମୋଚିତ ହୋଇଥିଲା।

Comments are closed.