ପବ୍‌ଜିମୁକ୍ତ ଭାରତ; ଅପହୃତ ଶୈଶବ ଫେରାଇବ କିଏ?

ଉପରୋକ୍ତ ଶୀର୍ଷକ କିଶୋର ଓ ଯୁବ ପାଠକବର୍ଗଙ୍କୁ ଅସୁଖୀ କରୁଥିବ ନିଶ୍ଚୟ; କିନ୍ତୁ ଲକ୍ଷଲକ୍ଷ ବିବଶ ଅଭିଭାବକମାନଙ୍କୁ ଯେଉଁ ମହାର୍ଘ ମାନସିକ ଆସ୍ୱସ୍ତି କରୁଥିବ ତାହା ବୋଧହୁଏ ସେମାନଙ୍କ ବ୍ୟତୀତ ଅନ୍ୟ କେହି ହୃଦୟଙ୍ଗମ କରିବା କଷ୍ଟକର। ଛାତ୍ର, କିଶୋର ଓ ଯୁବକ ଏପରି କି କେତେକ କ୍ଷେତ୍ରରେ ପ୍ରୌଢ଼ମାନଙ୍କୁ ମଧ୍ୟ ଏକପ୍ରକାର ମୋହାସକ୍ତ କରି ରଖିଥିବା ଅନ୍‌ଲାଇନ୍ ଗେମ୍ ପବ୍‌ଜି ସମେତ ୧୧୮ଟି ଆପ୍‌କୁ କେନ୍ଦ୍ର ସରକାରଙ୍କ ନିଷେଧ କରିଛନ୍ତି। ଦେଶର ସାର୍ବଭୌମତ୍ୱ, ପ୍ରତିରକ୍ଷା ଗୋପନୀୟତା ପ୍ରତି ଚୀନ୍ କମ୍ପାନୀ ନିର୍ମିତ ଏହି ଆପ୍ ଓ ଅନ୍‌ଲାଇନ୍ ଗେମ୍‌ଗୁଡ଼ିକ ବିପଦ ସୃଷ୍ଟି କରୁଥିବାରୁ କଟକଣା ଅପରିହାର୍ଯ୍ୟ ଥିଲା ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାଦ୍ୱାରା ଚୀନ୍ କମ୍ପାନୀ ଓ ଚୀନ୍ ସରକାର କେତେ କ୍ଷତିଗ୍ରସ୍ତ ହେବେ ତାହା ଏକ ଭିନ୍ନ ପ୍ରସଙ୍ଗ। ଏହାଦ୍ୱାରା କିନ୍ତୁ ଭାରତର ପ୍ରତିକୋଣର(ଯେଉଁଠି ୪ଜି ନେଟ୍‌ୱର୍କ ଉପଲବ୍ଧ) ଅଭିଭାବକମାନଙ୍କୁ ପରୋକ୍ଷରେ ଦୁଶ୍ଚିନ୍ତାମୁକ୍ତ କରିଛି- ଏହି ଦିଗ ଅନାଲୋଚିତ ହୋଇ ରହିଯାଉଛି।
ମସ୍ତିଷ୍କ ଓ ଚିନ୍ତାଶକ୍ତିକୁ ପ୍ରଖର କରିବାରେ କମ୍ପ୍ୟୁଟର ଓ ମୋବାଇଲ୍ ଗେମ୍‌ଗୁଡ଼ିକର ଉପାଦେୟତା ଅନସ୍ୱୀକାର୍ଯ୍ୟ; କିନ୍ତୁ ଏଥିପ୍ରତି ଛାତ୍ରଛାତ୍ରୀ ଓ ଯୁବକଯୁବତୀ ଆସକ୍ତ ହୋଇଯିବା ବା ଅନ୍‌ଲାଇନ୍ ଗେମ୍‌ଗୁଡ଼ିକ ଜୀବନଶୈଳୀର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଯିବା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଏବଂ ସର୍ବୋପରି ଦେଶ ପାଇଁ କ୍ଷତିକାରକ। ଇତିମଧ୍ୟରେ ଲକ୍ଷଲକ୍ଷ ପରିବାରର ପିଲାମାନେ ଘଣ୍ଟା ଘଣ୍ଟା ଧରି ଅନ୍‌ଲାଇନ୍‌ ଗେମ୍‌ରେ ମାତି ଜୀବନର ବହୁ ମୂଲ୍ୟ ସମୟ ନଷ୍ଟ କରିସାରିଛନ୍ତି। ଅଭିଭାବକଙ୍କ ବହୁ ଚେଷ୍ଟା, ଅନୁନୟ, ତାଗିଦା ପରେ ମଧ୍ୟ ପିଲାମାନେ ଏହାର ମୋହରୁ ମୁକ୍ତ ହୋଇପାରିନାହାନ୍ତି। ଏପରି କି ଅଭିଭାବକଙ୍କ ଆକଟ ଓ ଅନ୍‌ଲାଇନ୍ ଗେମ୍‌ର ଉନ୍ମାଦର ସଂଘାତ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା ପରି ପଦକ୍ଷେପ ନେବାକୁ ବାଧ୍ୟ କରିଛି। ପବ୍‌ଜି ଆସିବା ପରେ ଏହି ସଙ୍କଟ ଆହୁରି ଘନୀଭୂତ ହୋଇଛି। ବିଶେଷକରି ପରୀକ୍ଷା ସମୟରେ ଅଭିଭାବକ ଓ ସେମାନଙ୍କ ଅସୁମାରୀ ଆଶା ଓ ସ୍ୱପ୍ନ ଆଗରେ ଅନ୍‌ଲାଇନ୍ ଗେମ୍(ପବ୍‌ଜି ସମେତ) ଏକ ଅଲଂଘ୍ୟ ପ୍ରାଚୀର ହୋଇଛି।
ବିଡ଼ମ୍ବନାର ବିଷୟ ହେଉଛି ଏ ସମ୍ପର୍କରେ କେନ୍ଦ୍ର ସରକାର ଓ ନୀତି ନିର୍ଦ୍ଧାରକମାନେ ଯେ ଅବଗତ ନଥିଲେ ତାହା ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅନେକ ଅଭିଭାବକ ପବ୍‌ଜିର ଗୁରୁତର ପ୍ରତିକୂଳ ପ୍ରଭାବ ଓ ସମସ୍ୟା ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ। ଅନ୍ତତଃ ପରୀକ୍ଷା ସମୟରେ ଅନ୍‌ଲାଇନ୍ ଗେମ୍ ଉପରେ ସାମୟିକ କଟକଣା ଜାରି କରିବା ପାଇଁ ମନସ୍ତତ୍ତ୍ୱବିତ୍ ଓ ଶିକ୍ଷାବିତ୍‌ମାନେ ଗୁରୁତ୍ୱ ଆରୋପ କରି ଆସୁଥିଲେ। ଏହା ସତ୍ତ୍ୱେ ଅନ୍‌ଲାଇନ୍ ଗେମ୍‌ର ନକାରାତ୍ମକ ପ୍ରଭାବ ସରକାରଙ୍କୁ ଆଲୋଡ଼ିତ ନ କରିବା ଦୁର୍ଭାଗ୍ୟଜନକ ବୋଲି କହିବାକୁ ହେବ।
ଅପ୍ରିୟ ସତ୍ୟ ଏହା ଯେ ଯଦି ସୀମାନ୍ତରେ ଚୀନ୍‌ର ଉତ୍ପାତ ବଢ଼ି ନଥା’ନ୍ତା ଭାରତରେ ପବ୍‌ଜି ନିଷେଧ ହୋଇନଥା’ନ୍ତା। କେବଳ ଦ୍ୱିପାକ୍ଷିକ ସମ୍ପର୍କ ହଁ ଭାରତ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ, ଦେଶର ଅଗଣିତ ଭବିଷ୍ୟତ ବିଷୟରେ ଚିନ୍ତିତ ନୁହନ୍ତି – ଏଥିରୁ ଏହା ପ୍ରମାଣିତ ହେଉ ନାହିଁ କି? ଭାରତର କର୍ମକୁଶଳ ମାନବ ସମ୍ବଳକୁ ଅଥର୍ବ ଓ ଅଳସୁଆ କରି ବିକାଶ ଦୌଡ଼ରେ ଭାରତକୁ ପଛକୁ ଠେଲି ଦେବା ପାଇଁ ଚୀନ୍ ଅନ୍‌ଲାଇନ୍ ଗେମ୍ ଜରିଆରେ ବହୁ ପୂର୍ବରୁ ସୁଚିନ୍ତିତ ରଣକୌଶଳ ଆରମ୍ଭ କରିସାରିଛି। ପ୍ରତିବଦଳରେ ଭାରତରୁ ଅନ୍‌ଲାଇନ୍ ଗେମ୍ ଓ ଆପ୍ ଜରିଆରେ ବିପୁଳ ଅର୍ଥ ସଂଗ୍ରହ କରି ନିଜ ଦେଶର ଅର୍ଥନୀତି ଓ ଲକ୍ଷଲକ୍ଷ ଆଇଟି ବିଶେଷଜ୍ଞ ସୃଷ୍ଟି କରିବାରେ ଚୀନ୍ ସମର୍ଥ ହୋଇଛି। ବିଡ଼ମ୍ବନାର ବିଷୟ ଏହି କି ଯେ ଭାରତ ସରକାର ଚୀନ୍‌ର ଏହି କୌଶଳ ବୁଝିବାକୁ ଚେଷ୍ଟା କରିନାହାନ୍ତି। ଚୀନ୍‌କୁ ପାନେ ମିଳିଲା ସତ; କିନ୍ତୁ ଇତିମଧ୍ୟରେ ଭାରତର ଶୈଶବ, କୈଶୋର ଓ ଯୁବବର୍ଗର ଯେଉଁ ମୂଲ୍ୟବାନ ସମୟକୁ ଚୀନ୍ ଅପହରଣ କରି ନେଇଛି ତାହା କିଏ ଓ କିପରି ଫେରାଇ ଆଣିବ? ଏ ପ୍ରଶ୍ନର ଉତ୍ତର ପାଇଁ ନୀତି ନିର୍ଦ୍ଧାରକମାନେ ଦେଶ ଆଗରେ ଉତ୍ତରଦାୟୀ ଯେ ହେବେ ସେ ସମ୍ଭାବନା ଖୁବ୍ କମ୍।
ଏହି ପରିପ୍ରେକ୍ଷୀରେ ସାନ୍ତ୍ୱନାର ବିଷୟ ଏହା ଯେ ବିଳମ୍ବରେ ହେଲେ ମଧ୍ୟ ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏହି କଟକଣା ସାମୟିକ କିମ୍ବା ଲୋକଦେଖାଣିଆ ନ ହେଉ। କେବଳ ପବ୍‌ଜିକୁ ନିଷେଧ କଲେ ଚଳିବ ନାହିଁ। ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ପବ୍‌ଜି ପରି ଅନ୍‌ଲାଇନ୍ ଗେମ୍‌ର ବିକଳ୍ପମାନ ଯେପରି ଭାରତର ଭବିଷ୍ୟତକୁ ଆକ୍ରାନ୍ତ ଓ କବଳିତ ନ କରନ୍ତି ସେଥିପ୍ରତି ସରକାର ଏବେଠାରୁ ପଦକ୍ଷେପ ଗ୍ରହଣ କରନ୍ତୁ।

Comments
Loading...