୧୦୮ ଟି ଅଭଙ୍ଗା ଅରୁଆ ଚାଉଳ ଓ ,୧୦୮ ଟି ଦୁବ ଓ ପୂଜା ଦ୍ରବ୍ୟ ଏହି ଓଷାର ମହତ୍ତ୍ୱ – ପୁଅ ଜିଉନ୍ତିଆ ଏବଂ ଦିତି ବାହାନ ଓଷା ପାଳିତ

ରେଙ୍ଗାଲିକ୍ୟାମ୍ପ – ଭାରତୀୟ ପରମ୍ପରା ଓ ସଂସ୍କୃତି ମଣିଷ ଭିତରେ ଏକତାର ଭାବଧାରା କୁ ବଞ୍ଚାଇ ରଖିବା ସହିତ ପରସ୍ପର ମଧ୍ୟରେ ସ୍ନେହ ଓ ମମତାର ବନ୍ଧନକୁ ମଧ୍ୟ ଦୃଢୀଭୂତ କରିଥାଏ । ସେଇ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବାକୁ ମଣିଷ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ କରିଥାଏ । ଏମିତି ଅନେକ ପର୍ବ ପର୍ବାଣୀ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ସେମିତି ଏକ ମହାନ୍ ପର୍ବ “ପୁଅ ଜିଉନ୍ତିଆ” ।

ଅପୁତ୍ରିକ ନାରୀ ପୁତ୍ରଲାଭ ନିମନ୍ତେ ଓ ପୁତ୍ରବତୀ ନାରୀ ମାନେ ନିଜ ପୁତ୍ର ମାନଙ୍କର ବା ସନ୍ତାନ ମାନଙ୍କର ଦୀର୍ଘାୟୁ ନିମନ୍ତେ ଏହି ଓଷା କରିଥାନ୍ତି । ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ କିମ୍ବା ଅଷ୍ଟମୀ ତିଥିରେ ଏହି ଓଷା ପାଳନ କରାଯାଏ।ମାଁ ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ଓଷା ପାଳିଥାଆନ୍ତି । ୨୧ ପ୍ରକାରର ଫଳ ଓ ପନି ପରିବା ସହିତ ୧୦୮ ଟି ଅଭଙ୍ଗା ଅରୁଆ ଚାଉଳ ଓ ,୧୦୮ ଟି ଦୁବ ଓ ପୂଜା ଦ୍ରବ୍ୟ ଏହି ଓଷାରେ ଲାଗିଥାଏ । ଗାଆଁ ମାନଙ୍କରେ ସମସ୍ତ ବ୍ରତଧାରି ମାନେ ଏକାଠି ଏହି ଓଷା କରିଥାନ୍ତି । ପୂଜା ପାଇଁ ଏକ ନିର୍ମଳ ସ୍ଥାନ ପୂଜା ମଣ୍ଡପ ତିଆରି ହୋଇଥାଏ । ପୂଜା ମଣ୍ଡପର ଚାରିପଟେ ବର୍ଗାକାର ଆକାରରେ ମାଟି ଖୋଲାଯାଇ ସେଥିରେ ପାଣି ଭର୍ତ୍ତି କରାଯାଏ । ପୂଜା ମଣ୍ଡପର ପୂର୍ବ ପାର୍ଶ୍ଵରେ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଉ ଥିବା ବେଳେ ପଶ୍ଚିମ ପାର୍ଶ୍ଵରେ ଏକ କଦଳୀ ଗଛକୁ ସ୍ଥାପନ କରାଯାଇ ଜୀମୂତ ବାହନଙ୍କୁ ପୂଜା କରାଯାଏ । ଅଞ୍ଚଳ ଭିତ୍ତିରେ ଏହି ପୂଜାର ଭିନ୍ନ ଭିନ୍ନ ବିଶେଷତ୍ଵ ଥିବାର ଦେଖାଯାଏ । ଅନେକ ସ୍ଥାନରେ ଜୁଇ ଡାଳର ବିଶେଷ ମହତ୍ତ୍ଵ ରହିଛି ।

ଜୁଇର ବନ୍ଧ୍ୟା ଦୋଷ ନିରାକରଣ ଶକ୍ତି ଥିବା ସହ ଗର୍ଭ ପ୍ରଦତ୍ତ ଶକ୍ତି,ଗୁରୁ ଶୁକ୍ର ଗର୍ଭକ ଶକ୍ତି ରହିଥିବା ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଏହି ଡାଳକୁ ବନ୍ଧ୍ୟା ଓ ମୃତ ବତ୍ସା ନାରୀ ମାନେ ପୂଜା ସ୍ଥାନରେ ସ୍ଥାପନ କରି ପୂଜା କରିଥାନ୍ତି । ଆଉ କେତେକ ଅଞ୍ଚଳରେ ଜିଆ ମାଛ କୁ ପୁତ୍ର ସନ୍ତାନ ପ୍ରାପ୍ତି ର ସୂଚକ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ପୂଜା ମଣ୍ଡପର ଚାରି ପାର୍ଶ୍ଵରେ ଯେଉଁ ଗତ ଖୋଲା ଯାଇଥାଏ ସେଥିରେ ପାଣି ଭର୍ତ୍ତି କରି ତା ମଧ୍ୟରେ ଜିଆ ମାଛ ଛଡାଯାଏ। ପୂଜା ସମ୍ପନ୍ନ ହେବା ପରେ ବନ୍ଧ୍ୟା ନାରୀ ମାନେ ଏହି ଜିଆ ମାଛ କୁ ନିଜ ପଣତ କାନିରେ ଧରନ୍ତି ଓ ଏକ ମୁହାଁ ହୋଇ ପୋଖରୀ କିମ୍ବା ନଦୀ କୁ ଯାଇ ପୁଣି ତାକୁ ଛାଡି ଦିଅନ୍ତି। ଏହି ଦିନ ବ୍ରତ ଧାରୀ ମାନେ ଆଫାମlର୍ଗ କାଠିରେ ଦାନ୍ତ ଘଷିଥନ୍ତି ।ଏହି କାଠିରେ ବାତ ରୋଗ ନିରାକରଣ ଶକ୍ତି ଥିବାରୁ ଖାଲି ପେଟରେ ଏହି କlଠିକୁ ଘଡିଲେ ବାତ ରୋଗରୁ ମୁକ୍ତି ମିଳେ ।

ଅନ୍ୟ ପକ୍ଷରେ ଖାଉଥିବା ଗଜାମୁଗ ,ବଡ ଚଣା ଭଳି ଶକ୍ତି ବର୍ଦ୍ଧକ ଖାଦ୍ୟ ସ୍ତ୍ରୀ ମାନଙ୍କ ବନ୍ଧ୍ୟାକରଣ ଶକ୍ତି କୁ ଦୂର କରେ ।ତେଣୁ ଏହି ପୂଜାରେ ଏଭଳି ଦ୍ରବ୍ୟ ଗୁଡ଼ିକ ବ୍ୟବହାର କରିବା ଅତ୍ୟନ୍ତ ତାପର୍ଯ୍ୟ ପୂର୍ଣ୍ଣ ।ପୂଜା ପର ଦିନ ନୂତନ ବସ୍ତ୍ର ପରିଧାନ କରି ଘରେ ପୂର୍ଣ୍ଣ କଳସ ବସାଇ ଆଗରେ ଦୀପ ଜାଳି ପୂଜା କରାଯାଇଥିବା ଶହେ ଆଠ ଦୁବକୁ ଧରି ପୁଅମାନଙ୍କ ଆପାଦ ମସ୍ତକରେ ଛୁଆଁଇ ଥାନ୍ତି । ସନ୍ତାନ ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରି ହାତରେ ଜିଉନ୍ତିଆ କୁ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଥାନ୍ତି ।ଏହି ବ୍ରତ ବା ଓଷା ମାଁ ଓ ପୁଅ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ । ଏହି ଓଷା ମଣିଷର ଧର୍ମୀୟ ଅନୁଚିନ୍ତା କୁ ସୁଦୃଢ଼ କରିବା ସହ ମାତା ପୁତ୍ର ର ଅନାବିଳ ସ୍ନେହ ମମତା କୁ ରୁଦ୍ଧିମନ୍ତ କରିଥାଏ ।ଏହି ଦିନଠାରୁ ପାର୍ବଣ ଋତୁର ଆରମ୍ଭ ହୋଇଥାଏ ।ଚିତ୍ତ ଶୁଦ୍ଧି ,ଧର୍ମ ଉପାସନା ଓ ଭଗବତ ପ୍ରାପ୍ତି ଦିଗରେ ଏହି ଓଷା ର ଉପାଦେୟତା ଅପରିହାର୍ଯ୍ୟ ।

Comments are closed.