ପାକିସ୍ତାନ ସାଧାରଣ ନିର୍ବାଚନରେ ଅସ୍ପଷ୍ଟ ଜନମତ: ଛୋଟ ଦଳଙ୍କ ହାତରେ ଚାବିକାଠି

0

ଇସଲାମାବାଦ : ପାକିସ୍ତାନ ପାର୍ଲାମେଣ୍ଟ (ସଂସଦ) ପାଇଁ ହୋଇଥିବା ନିର୍ବାଚନରେ ଇମ୍ରାନ ଖାଁଙ୍କ ନେତୃତ୍ୱ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଏକକ ବୃହତ ଦଳ ଭାବେ ଉଭା ହୋଇଛି। ପାର୍ଲମେଣ୍ଟର ୨୭୨ ଆସନ ପାଇଁ ନିର୍ବାଚନ ହୋଇଥିବାବେଳେ ପିଟିଆଇ ୧୧୪ଟି ଆସନରେ ବିଜୟୀ ହୋଇଛି। ତେବେ ସରକାର ଗଠନ ପାଇଁ ଏହାକୁ ଆହୁରି ୨୩ଟି ଆସନ ଆବଶ୍ୟକ। ବୁଧବାର ନିର୍ବାଚନ ଶେଷ ହେବା ପରଠାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ନିର୍ବାଚନ ଆୟୋଗ ୨୬୧ଟି ଆସନର ଫଳାଫଳ ଘୋଷଣା କରିଛନ୍ତି। ଆହୁରି ୧୧ଟି ଆସନର ଫଳ ଘୋଷଣା ହେବାକୁ ବାକି ରହିଛି। ଅନ୍ୟପଟେ ଘୋଷିତ ଆସନର ଫଳାଫଳ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନେତୃତ୍ୱ ପାକିସ୍ତାନ ମୁସଲିମ୍‍ ଲିଗ୍‍ ନୱାଜ (ପିଏମ୍‍ଏଲ-ଏନ) ୬୨ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି
ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ନେତୃତ୍ୱ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ରହିଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଛୋଟ ଦଳଗୁଡିକ ୧୨ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୧୩୭ ଠାରୁ ବହୁ ଦୂରରେ ରହିଥିଲେ ମଧ୍ୟ ଏକକ ବୃହତ ଦଳ ଭାବେ ପିଟିଆଇ ସରକାର ଗଠନ କରିବାକୁ ଯାଉଛି। ଦଳର ମୁଖ୍ୟ ଇମ୍ରାନ ଖାଁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ପାକିସ୍ତାନ ପାର୍ଲାମେଣ୍ଟର ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବାବେଳେ ୨୭୨ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେଉଥିବାବେଳେ ଅବଶିଷ୍ଟ ୭୦ଜଣ ମନୋନୀତ ହୋଇଥାନ୍ତି। ଏଥିରୁ ୬୦ଜଣ ମହିଳା ଓ ୧୦ଜଣ ସଂଖ୍ୟାଲଘୁ ବର୍ଗର। ତେଣୁ ଗୋଟିଏ ଦଳ ୧୭୨ ଆସନ ପାଇପାରିଲେ ସରକାର ଗଠନ କରିପାରିବ। ସଂଖ୍ୟା ଗରିଷ୍ଠତା ଆଧାରରେ ପିଟିଆଇ ନିଜ ପାଇଁ ୨୯ଜଣ ମହିଳା ଓ ୪ରୁ ୫ଜଣ ସଂଖ୍ୟାଲଘୁ ସଦସ୍ୟ ମନୋନୟନ କରିପାରିବ। ଏପରି ହେଲେ ଇମ୍ରାନଙ୍କ ଦଳ ୧୬୦ ଆସନରେ ପହଞ୍ଚି ପାରିବ। ପିଟିଆଇର ସହଯୋଗୀ ଦଳ ପିଏମ୍‍ଏଲ-କ୍ୟୁ ୫ଟି ଆସନରେ ବିଜୟୀ ହୋଇଛି। ଏହା ମଧ୍ୟ ଜଣେ ସଦସ୍ୟଙ୍କୁ ମନୋନୟନ କରିପାରିବ। ବେଲୁଚିସ୍ତାନର କେତେକ ଛୋଟ ଦଳ ଓ ଏମକ୍ୟୁଏମ୍‍ ମଧ୍ୟ ଇମ୍ରାନଙ୍କୁ ସମର୍ଥନ ଜଣାଉଛନ୍ତି। ଘୋଷିତ ଫଳ ଅନୁଯାୟୀ ଏମକ୍ୟୁଏମ୍‍ ୬ଟି ଆସନରେ ବିଜୟୀ ହୋଇଛି। ତେବେ ସରକାର ଗଠନ ପାଇଁ ଗୋଟିଏ ଦଳକୁ ୧୩୭ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।
ସରକାର ଗଠନ ପୂର୍ବରୁ ଇମ୍ରାନ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଘୋଷଣା କରିଛନ୍ତି। ବିଶେଷ କରି ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟକୁ ଗୁରୁବାର ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ପାକିସ୍ତାନରେ ବାସ୍ତବ ଶାସନ କର୍ତ୍ତା ସାଜି ଆସୁଥିବା ସୈନ୍ୟ ବାହିନୀ ଇମ୍ରାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଆସୁଛି। ଇମ୍ରାନ କହିଥିଲେ ଯେ ତାଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ସରକାର ପଡୋଶୀ ଭାରତ ସହିତ ସମ୍ପର୍କରେ ଉନ୍ନତି ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରିବ। ସମ୍ପର୍କ ସୁଧାରିବା ପାଇଁ ଭାରତ ଯଦି ଗୋଟିଏ ପାଦ ଆଗକୁ ଆସେ ତେବେ ପାକିସ୍ତାନ ଦୁଇ ପାଦ ଆଗକୁ ବଢାଇବ। ସେହିପରି ଚୀନ ସହିତ ସମ୍ପର୍କକୁ ନିବିଡ କରିବା ପାଇଁ ଘୋଷଣା କରିଛନ୍ତି।
ପାର୍ଲାମେଣ୍ଟ ନିର୍ବାଚନ ସହ ୪ଟି ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇଛି। ପାକିସ୍ତାନର ସର୍ବବୃହତ ପ୍ରଦେଶ ପଞ୍ଜାବରେ ନୱାଜ ସରିଫଙ୍କ ପିଏମ୍‍ଏଲ-ଏନ ଏକକ ବୃହତ ଦଳ ଭାବେ ଉଭା ହୋଇଛି। ବିଧାନସଭାର ୨୯୭ ଆସନର ପିଏମ୍‍ଏଲ-ନ ୧୨୭ଟି ଆସନରେ ବିଜୟୀ ହୋଇଛି। ତେବେ ଇମ୍ରାନଙ୍କ ପିଟିଆଇ ୧୨୩ଟି ଆସନରେ ବିଜୟୀ ହୋଇଥିବାବେଳେ ଏହା ସରକାର ଗଠନ ପାଇଁ ୨୯ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଚଳାଇଛି। ଇମ୍ରାନଙ୍କ ସହଯୋଗ ପିଏମ୍‍ଏଲ-କ୍ୟୁ ବିଧାନସଭାର ୭ଟି ଆସନରେ ବିଜୟୀ ହୋଇଛି। ପଞ୍ଜାବରେ ସରକାର ଗଠନ ପାଇଁ ୧୪୯ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।
ସିନ୍ଧ ପ୍ରଦେଶ ବିଧାନସଭାର ୧୩୧ ଆସନରୁ ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ପିପିପି ୭୪ ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ପିଟିଆଇ ଏଠାରେ ୨୨ଟି ଆସନରେ ବିଜୟୀ ହୋଇଛି। ସେହିପରି ଖାଇବର ପଖତୁନଖୱାରେ ପିଟିଆଇ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ବିଧାନସଭାର ୯୯ ଆସନରୁ ପିଟିଆଇ ୬୬ଟିରେ ବିଜୟୀ ହୋଇଛି। ବେଲୁଚିସ୍ତାନ ପ୍ରଦେଶରେ ବେଲୁଚିସ୍ତାନ ଆୱାମି ପାର୍ଟି (ବିଏପି) ଏକକ ବୃହତ ଦଳ ଭାବେ ଉଭା ହୋଇଛି। ବିଧାନସଭାର ୫୧ଟି ଆସନରୁ ବିଏପି ୧୩ଟିରେ ବିଜୟୀ ହୋଇଛି। ଏମ୍‍ଏମ୍‍ଏ ୯, ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି ୫, ସ୍ୱାଧୀନ ୫ ଓ ପିଟିଆଇ ୪ଟି ଆସନରେ ବିଜୟୀ ହୋଇଛନ୍ତି।

Leave A Reply