ଅଭିସନ୍ଧିର ପରିଣାମ ; ପ୍ରଥମରୁ ସରକାର ସତର୍କ ହୁଅନ୍ତୁ

ଘରୋଇ ବିମାନ କମ୍ପାନୀ କିଙ୍ଗଫିସର ବନ୍ଦ ହୋଇଯିବା ପରେ ଭାରତୀୟ ବିମାନ ସେବା ଶିଳ୍ପରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ଶୁଖିନାହିଁ। ଅଧିକନ୍ତୁ ଏହି କ୍ଷତି ସମଗ୍ର ଶିଳ୍ପକୁ ସଂକ୍ରମିତ ହୋଇ ଚାଲିଛି। ନିକଟରେ ଜେଟ୍‍ ଏୟାରୱେଜ୍‍ ବନ୍ଦ ହୋଇଯାଇଛି। କମ୍ପାନୀକୁ କିଣିବା ପାଇଁ ଦୁଇଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନାହିଁ। ଦେଶର ସର୍ବପୁରାତନ ବିମାନ ସେବା ପ୍ରଦାନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ ଏୟାର ଇଣ୍ଡିଆ ରୁଗ୍‍ଣ ପ୍ରାୟ। ବିରୋଧୀଙ୍କ ବିରୋଧ ଯୋଗୁଁ ଏୟାର ଇଣ୍ଡିଆର ଘରୋଇକରଣ ଲାଗି କେନ୍ଦ୍ର ସରକାର ହଠାତ୍‍ ସାହସ ଦେଖାଇପାରୁନଥିଲେ ମଧ୍ୟ ନିକଟ ଭବିଷ୍ୟତରେ ଏହି ସଂସ୍ଥାର ବିକ୍ରି ସମ୍ଭାବନାକୁ ଏଡ଼ାଇ ଦେଉ ହେଉନାହିଁ। ପ୍ରାୟତଃ ଭାରତୀୟ ବିମାନ ସେବା ଶିଳ୍ପର ଅବସ୍ଥା ସେତେ ଭଲ ନାହିଁ। ବିମାନ ସେବାରେ ଶତ ପ୍ରତିଶତ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଲାଗି କେନ୍ଦ୍ର ସରକାର ବାଟ ଖୋଲିଥିଲେ ମଧ୍ୟ ସୁଧାର ଲାଗି ତାହା ଯଥେଷ୍ଟ ହୋଇପାରିନାହିଁ। ଏପରିକି ଭାରତୀୟ ବିମାନ ସେବା ଶିଳ୍ପ ଆଗକୁ ଅଧିକ ସଂକଟଜନକ ସ୍ଥିତିରେ ପହଞ୍ଚିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉଦ୍‍ବେଗ ପ୍ରକାଶ କରିଛନ୍ତି। ହରଦୀପଙ୍କ ସୂଚନା ଅନୁଯାୟୀ ଆଗାମୀ ଦିନରେ ଏକାଧିକ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବନ୍ଦ ହୋଇପାରେ। ଏଥିପାଇଁ ମନ୍ତ୍ରୀ ମହୋଦୟ ଯେଉଁ କାରଣ ପ୍ରତି ଇଙ୍ଗିତ କରିଛନ୍ତି ତାହା ତାତ୍ପର୍ଯ୍ୟପୂର୍ଣ୍ଣ। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ ଭାରତର ବିମାନ କମ୍ପାନୀମାନେ ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି। ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର ବଜାର ଅଂଶ ନିଜ ଅକ୍ତିଆରକୁ ଆଣିବା ଲାଗି ସେମାନେ ପରସ୍ପର ଭିତରେ ଟିକଟ୍‍ ତାରିଫ୍‍ ଦରରେ ଯେଭଳି ହ୍ରାସ/ବୃଦ୍ଧି କରିଚାଲିଛନ୍ତି ତାହାର ପ୍ରତିକୂଳ ପ୍ରଭାବ ସେମାନଙ୍କୁ ହିଁ ଭୋଗିବାକୁ ପଡ଼ୁଛି।
ଚଳିତ ଶତାବ୍ଦୀର ପ୍ରଥମ ଦଶନ୍ଧି ପରେପରେ ବିମାନ ସେବା ଶିଳ୍ପରେ ଆରମ୍ଭ ହୋଇଥିଲା ଏଭଳି ପ୍ରତିଯୋଗିତା। ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ବିମାନ ଟିକଟ୍‍ ମୂଲ୍ୟରେ ଅହେତୁକ ହ୍ରାସ ଘଟିଲା। ଏପରିକି ୧ ଟଙ୍କାରେ ବିମାନ ଯାତ୍ରା ପରି ଲୋଭନୀୟ ପ୍ରସ୍ତାବ ମଧ୍ୟ ଦିଆଗଲା। ବିଶେଷକରି ଋତୁକାଳୀନ ଯାତ୍ରୀଙ୍କ ପାଇଁ ଅଗ୍ରିମ ବୁକିଂରେ ରିଆତି ସୁବିଧା ମଧ୍ୟ କରାଗଲା। ଗୋଟିଏ କମ୍ପାନୀ ଆରମ୍ଭ କରିଥିବା ଏଭଳି ଯୋଜନା ଦେଖାଦେଖି ଅନ୍ୟ କମ୍ପାନୀମାନେ ମଧ୍ୟ ଅନୁସରଣ କରିବାରେ ଲାଗିଲେ। କମ୍ପାନୀ-କମ୍ପାନୀ ମଧ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରତିଦ୍ୱନ୍ଦ୍ୱିତାରେ ସବୁଠାରୁ ଅଧିକ ଉପକୃତ ହେଲେ ବିମାନଯାତ୍ରୀ। ନିମ୍ନ ଟିକଟ୍‍ ତାରିଫ୍‍ ଯୋଗୁଁ କାଳକ୍ରମେ ବିମାନ କମ୍ପାନୀମାନେ କ୍ଷତି ସହିବାରେ ଲାଗିଲେ। କାର୍ଯ୍ୟକାରୀ ପୁଞ୍ଜି ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣ ଉପରେ ନିର୍ଭର କରିବାକୁ ପଡ଼ିଲା। ଶେଷରେ କେତେକ କମ୍ପାନୀ ବିକ୍ରି ହୋଇଗଲେ ଏବଂ କେତେକ ବନ୍ଦ ହୋଇଗଲେ। କିଙ୍ଗଫିସରକୁ ଏହାର ଏକ ପ୍ରକୃଷ୍ଟ ଉଦାହରଣ ରୂପେ ନିଆଯାଇପାରେ।
କେବଳ ବିମାନ କମ୍ପାନୀ ନୁହନ୍ତି, ଦ୍ୱିତୀୟ ଦଶନ୍ଧି ଆରମ୍ଭରେ ଟେଲିଫୋନ୍‍ ସେବା ଶିଳ୍ପରେ ମଧ୍ୟ ଏଭଳି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ନିମ୍ନରୁ ନିମ୍ନତର ଦର ବା ମାମୁଲି ମୂଲ୍ୟରେ କିଏ କିଭଳି ଉପଭୋକ୍ତାଙ୍କୁ ସେବା ଯୋଗାଇ ପାରିବ, ସେଥିପାଇଁ ପ୍ରତିଯୋଗିତା ଆରମ୍ଭ ହେଲା। ଅନେକ ବିଦେଶୀ କମ୍ପାନୀ ଭାରତୀୟ ଟେଲି କମ୍ପାନୀଙ୍କ ସହିତ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ। ପ୍ରତିଯୋଗିତାରେ କ୍ରମଶଃ କମ୍ପାନୀ ସଂଖ୍ୟା ବଢ଼ିବାରେ ଲାଗିଲା। ସ୍ପେକ୍ଟ୍ରମ୍‍ ଦୁର୍ନୀତି ପଦାକୁ ଆସିବା ପରେ ଲାଇସେନ୍ସ ମହଙ୍ଗା ହୋଇଯିବାରୁ ଅଳ୍ପ ମୂଲ୍ୟରେ ସେବା ଯୋଗାଇବା ଆଉ ସମ୍ଭବ ହେଲା ନାହିଁ। ପ୍ରଭୂତ କ୍ଷତି ସହିବା ପରେ ଅନେକ କମ୍ପାନୀ ପ୍ରତିଯୋଗିତାରୁ ଓହରି ଗଲେ। ସେତେବେଳେ ଆଶାତୀତ କମ୍‍ ମୂଲ୍ୟରେ ଟେଲିଫୋନ୍‍ ସେବା ପାଉଥିବା ଅଭ୍ୟାସଗତ ଉପଭୋକ୍ତାମାନେ ଏବେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ତାହା ବର୍ଣ୍ଣନା ଅନାବଶ୍ୟକ।
ବଜାର ଅଂଶ ଦଖଲ ପାଇଁ ସ୍ୱଳ୍ପ ମୂଲ୍ୟରେ ସେବା ଯୋଗାଇ ଦେବା ରଣକୌଶଳ ବ୍ୟାବସାୟିକ ଜଗତରେ ନୂଆ ନୁହେଁ। ଏହାର ପରବର୍ତ୍ତୀ ପରିଣାମ ହେଉଛି କାର୍ଟେଲ୍‍ ବା ବ୍ୟାବସାୟିକ ଅଭିସନ୍ଧି। ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଉପଭୋକ୍ତାଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଅତି ଆକର୍ଷଣୀୟ ଓ ଲୋଭନୀୟ ଦର ଘୋଷଣା କରାଯାଏ। ଏହି ପ୍ରତିଯୋଗିତାରେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀମାନେ ପ୍ରଭୂତ କ୍ଷତି ସହିବାକୁ ପଡ଼ୁଥିଲେ ମଧ୍ୟ ତାହାକୁ ପୁଞ୍ଜି ବିନିଯୋଗ ଭାବରେ ବିବେଚନା କରାଯାଏ। ପ୍ରତିଯୋଗିତା ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିଲେ ତୁଳନାତ୍ମକ ଭାବେ ଆର୍ଥିକ ଦୁର୍ବଳ କମ୍ପାନୀଗୁଡ଼ିକ ଦେବାଳିଆ ସ୍ଥିତିକୁ ଆସି ଶେଷରେ ପ୍ରତିଯୋଗିତାରୁ ଓହରି ଯାଆନ୍ତି। ଏହାପରେ ବଜାରରେ ତିଷ୍ଠି ରହନ୍ତି ଗୋଟିଏ କିମ୍ବା ଦୁଇଟି ସଂସ୍ଥା। ଯଦି ଗୋଟିଏ ସଂସ୍ଥା ବଜାରରେ ତିଷ୍ଠି ରହେ ତେବେ ତାହାର ଏକଚାଟିଆ କାରବାର ଆରମ୍ଭ ହୁଏ ଏବଂ ସେବା ମୂଲ୍ୟ ଲଗାମହୀନ ହୁଏ। ଯଦି ଏକାଧିକ କମ୍ପାନୀ ତିଷ୍ଠି ରହନ୍ତି ତେବେ ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସହିଥିବା କ୍ଷତି ଭରଣା ପାଇଁ ଆପୋସ ବୁଝାମଣା କରନ୍ତି। ସବୁ କମ୍ପାନୀ ଗୋଟିଏ ସମୟରେ ସେବା ମୂଲ୍ୟରେ ବୃଦ୍ଧି ଘୋଷଣା କରନ୍ତି। ବ୍ୟାବସାୟିକ ଜଗତରେ ଏହି ରଣକୌଶଳକୁ ବ୍ୟାବସାୟିକ ଅଭିସନ୍ଧି କୁହାଯାଏ। ଏହାର ଶେଷତମ ଶିକାର ହେଉଛନ୍ତି ଉପଭୋକ୍ତା।
ବିଡ଼ମ୍ବନା ହେଉଛି ଉପଭୋକ୍ତାଙ୍କୁ ବ୍ୟାବସାୟିକ ଅଭିସନ୍ଧିଜନିତ ଶୋଷଣରୁ ସୁରକ୍ଷା ଦେବା ପାଇଁ ଆଇନ୍‍ ରହିଛି। ଏହି ଆଇନର ତଦାରଖ କରିବା ପାଇଁ କମ୍ପିଟିଟିଭ୍‍ କମିସନ୍‍ ଅଫ୍‍ ଇଣ୍ଡିଆ(ସିସିଆଇ) ନାମରେ ଏକ ସରକାରୀ ଅନୁଷ୍ଠାନ ମଧ୍ୟ ଅଧିକାରପ୍ରାପ୍ତ। ପରିବର୍ତ୍ତିତ ବ୍ୟବସ୍ଥାରେ ଏହି ଅନୁଷ୍ଠାନ କିନ୍ତୁ କେବଳ ଏକ ଦନ୍ତହୀନ ବ୍ୟାଘ୍ର ରୂପେ ପରିଗଣିତ ହେଉଛି। ଅନ୍‍ଲାଇନ୍‍ ସପିଂ କମ୍ପାନୀ ଫ୍ଲିପ୍‍କାର୍ଟ ଓ ଆମାଜନ୍‍ ଭାରତୀୟ ବଜାରରେ ପ୍ରବେଶ କରିବା ପରେ ଏବଂ ଋତୁକାଳୀନ ବିକ୍ରି ବା ସିଜିନ୍‍ ସେଲ୍‍ରେ ଉପଭୋକ୍ତାଙ୍କ ଅଭୂତପୂର୍ବ ଉତ୍ସାହ ଦେଖାଯାଇଥିଲା। ଏଥିରେ ପ୍ରଭୂତ କ୍ଷତି ସହିଥିବା ‘କ୍ୟାସ୍‍ ଆଣ୍ଡ କ୍ୟାରି’ ବା ଖୁଚୁରା ବିକ୍ରେତାମାନେ ତତ୍କାଳୀନ ବାଣିଜ୍ୟମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିସିଆଇ ଏହାର ତଦନ୍ତ କରିବ ବୋଲି ସେତେବେଳେ କେନ୍ଦ୍ରମନ୍ତ୍ରୀ କହିଥିଲେ ମଧ୍ୟ ତାହାର ପ୍ରଭାବ ପଡ଼ିନଥିଲା। ଅର୍ଥହୀନ ପ୍ରତିଯୋଗିତା କିମ୍ବା ବ୍ୟାବସାୟିକ ଅଭିସନ୍ଧି ଉଭୟ ଦେଶ ଓ ଜନତାଙ୍କ ପ୍ରତି କ୍ଷତିକାରକ। ସ୍ୱଳ୍ପକାଳୀନ ଭିତ୍ତିରେ ଲାଭଦାୟକ ସାବ୍ୟସ୍ତ ହେଉଥିବା ଏହି କୌଶଳ ଦୀର୍ଘକାଳୀନ ଭିତ୍ତିରେ ଅର୍ଥନୀତି ପ୍ରତି ବିପଦ। ଏଥିପ୍ରତି କେନ୍ଦ୍ର ସରକାର ସମ୍ବେଦନଶୀଳ ହେବା ଆବଶ୍ୟକ।

Comments are closed.