ନାମାଙ୍କନ ପରେ ପ୍ରତ୍ୟାହାର, ଶେଷରେ ଅପହରଣ ନେଇ ଥାନାରେ ଏତଲା 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀଙ୍କୁ  ଅପହରଣ ନେଇ ପରିବାର ପକ୍ଷରୁ ଥାନାରେଏତଲା ଦେଇଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସୁନାଖଣ୍ଡି ପଞ୍ଚାୟତର ସ୍ବର୍ଗତ ରାମ ହୁଇକାଙ୍କ କନିଷ୍ଠ ପୁଅ ସଞ୍ଜୟ ହୁଇକା ସମିତି ସଭ୍ୟ ଭାବରେ ବହୁଜନ ସମାଜ ପାର୍ଟି (ବିଏସପି)ସମର୍ଥନରେ ୧୯ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହାକୁ ନେଇ ୨୩ ତାରିଖ ଦିନ ପୂଜାରୀଗୁଡା ଗାଁର ଗେଦଲି ଶ୍ରୀନୁ, ଆଲଜିନିଗୁଡା ଗାଁର ଛବି ରତ୍ନାଲୁ , ହେମଗିରି ଆମରାପୁ ଏହି ତିନି ଜଣ ଏକତ୍ରିତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରି ରାଜନୀତି କରିବାକୁ ଆସିଛୁ ବୋଲି  କହିଥିବା ପ୍ରତ୍ୟେକ୍ଷ ଦର୍ଶୀ ଏତଲାରେ ଦର୍ଶାଇଛନ୍ତି । ୨୪ତାରିଖ ଦିନ ସମିତି ସଭ୍ୟ ପ୍ରାର୍ଥୀ ସଞ୍ଜୟଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ଭୟଭୀତ କରି ଜୋର ଜବରଦସ୍ତ ଆଣି ନାମାଙ୍କନ ପତ୍ର ପ୍ରତ୍ୟାହାର କରାଇଥିଲେ । ସଞ୍ଜୟଙ୍କୁ କେଉଁଠି ଲୁଚାଇ ରଖିଛନ୍ତି କି ଜୀବନରେ ମାରିଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସଞ୍ଜୟଙ୍କୁ ସବୁଆଡେ ଖୋଜା ଖୋଜି କରିବାପରେ ସନ୍ଧାନ ନ ପାଇ ବୁଧବାର ଥାନାରେ ଏତଲା ଦେଇଥିବା ଜଣାପଡିଛି । ଏସମ୍ପର୍କରେ  ଥାନା ଅଧିକାରୀ ସୁକୁମା ହଂସଦାଙ୍କୁ ପଚାରିବାରୁ ସେ କହିଲେ  ବିଜେଡି ଦଳକୁ ଆକ୍ଷେପ କରି ଏତଲା ଦେଇଛନ୍ତି । ସଞ୍ଜୟ ନ ଆସିବା ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଘଟଣାର ତଦନ୍ତ  ଚାଲିଛି ବୋଲି ସୂଚନା ଦେଇଛନ୍ତି ।

Comments are closed.