ତୈଳଦର ଅହେତୁକ ବୃଦ୍ଧିର ପ୍ରତିବାଦ

ଯୁବ କଂଗ୍ରେସ ପକ୍ଷରୁ ହୋଡିଂ ଚିରା ଓ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କଳା ବୋଳା

ଆଠଗଡ : ସଂପ୍ରତି ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆଠଗଡ ଯୁବକଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ହୋଡିଂ ଚିରା ଯିବା ସହ କେତେକସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କଳାରଙ୍ଗ ବୋଳା ଯାଇଥିଲା। ଯୁବକଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଏହି ପେଟ୍ରୋଲିୟମ ପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଆର୍ଥିକ କଷ୍ଟ ଭୋଗୁଛନ୍ତି ବୋଲି କହିବା ସହ କେନ୍ଦ୍ର ସରକାର ବିଗତ ୬ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲରୁ ଟିକସ ବାବଦ ୨୧.୫୦ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ସେଥିରେ ଲୋକଙ୍କ ସମସ୍ୟାକୁ ଉପେକ୍ଷା କରି ପ୍ରଧାନମନ୍ତ୍ରୀ ନିଜର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ବଡବଡ ହୋଡିଂ ଲଗାଇ ନିଜର ଫଟୋ ସ୍ଥାନିତ କରିଛନ୍ତି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବକଂଗ୍ରସ କର୍ମୀମାନେ ଆଠଗଡ ସହର ତଥା ଆଖପାଖ ଅଞ୍ଚଳରେ ପ୍ରତିଷ୍ଠିତ ସମସ୍ତ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ସମ୍ବଳିତ ହୋଡିଂକୁ ଚିରିବା ସଙ୍ଗେସଙ୍ଗେ ଅନେକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କଳାବୋଳିବା ସହ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କମାଇବା ପାଇଁ ଦାବି କରିଥିଲେ।

Comments are closed.