ଭାରତକୁ ସମର୍ଥନ କରିଥିବା ନେପାଳର ମହିଳା ସାଂସଦଙ୍କ ଘର ଉପରେ ଆକ୍ରମଣ, ଦେଶ ଛାଡ଼ିବାକୁ ଧମକ

କାଠମାଣ୍ଡୁ: ଭାରତ-ନେପାଳ ସୀମାନ୍ତବର୍ତ୍ତୀ ଅଞ୍ଚଳର ନକ୍ସାକୁ ବଦଳାଇଥିବା ନେପାଳ ଦୁଇଦିନ ତଳେ ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍‌ ପାସ୍‌ କରାଇଥିଲା। ଏହି ସମୟରେ ମହିଳା ସାଂସଦ ସରିତା ଗିରି ଏହାକୁ ବିରୋଧ କରିବା ସହିତ ଭାରତକୁ ସମର୍ଥନ କରିଥିଲେ। ଏଥିପାଇଁ ସରିତାଙ୍କ ଘର ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏପରି କି ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଧମକ ଦିଆଯାଇଛି। ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସହାୟତା କରାଯାଉ ନାହିଁ। ବିକ୍ଷୋଭକାରୀମାନେ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି।

ସରିତା ନେପାଳର ସମାଜବାଦୀ ପାର୍ଟିର ନେତା। ନକ୍ସା ବଦଳକୁ ନେଇ ସଂସଦରେ ଆଗତ ସମ୍ବିଧାନ ସଂଶୋଧନ ବିଲ୍‌କୁ ସେ ବିରୋଧ କରିଥିଲେ। ସେ କହିଥିଲେ, ନେପାଳ ଚୀନ ଇସାରାରେ ନକ୍ସାକୁ ବଦଳାଇବାକୁ ଚାହୁଁଛି। ନକ୍ସାକୁ ନେଇ ଭାରତ ସହିତ କୌଣସି ବିବାଦ ହେଉ ବୋଲି ନେପାଳ ଲୋକମାନେ ଚାହୁଁ ନ ଥିବା ସରିତା ଦାବି କରିଥିଲେ। ଏହାକୁ ନେଇ ନେପାଳ ସରକାର ଭାରତ ଏବଂ ଚୀନ ସହିତ ଆଲୋଚନା କରିବା ଦରକାର ବୋଲି ସେ କହିଥିଲେ। ସରିତାଙ୍କ ଏହି ଆଭିମୁଖ୍ୟ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ନେପାଳର ନ୍ୟାଶନାଲ ୟୁଥ ଆସୋସିଏଶନ(ଏନୱାଇଏ) ସରିତାଙ୍କୁ ସଂସଦରୁ ବହିଷ୍କାର କରିବାକୁ ଦାବି କରିଛି। ଦଳ ମଧ୍ୟ ଏହି ପ୍ରସଙ୍ଗରେ ସରିତାଙ୍କଠାରୁ ଦୂରେଇ ଯିବା ସହିତ ନିଜ ପ୍ରସ୍ତାବକୁ ପ୍ରତ୍ୟାହାର କରିନେବାକୁ ଆଦେଶ ଦେଇଛି।

Comments are closed.