ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କଣ୍ଡରା, କାଚପାଜୁ ଗାଁ ଲୋକେ

ପ୍ରତିଶ୍ରୁତି ପୂରଣ ନହେଲେ ପୁଣି ଆନ୍ଦୋଳନ, ଭୋଟବର୍ଜ୍ଜନ ଶେଷ ନିଷ୍ପତି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଂଚଳର କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି, ସାରୁପଦର ଭଳି ୫ଖଣ୍ଡ ଗାଁ ଲୋକ ସବୁଦିନିଆ ରାସ୍ତା ଖଣ୍ଡିଏ ପାଇଁ ମଙ୍ଗଳବାର ସକାଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଠିବା ପରେ ସେ ନିଜେ ଗାଁରେ ପହଞ୍ଚି ଏ ବିଷୟରେ ଲୋକଙ୍କ ସାଙ୍ଗରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ଦାବୀର ପୁର୍ନବିଚାର ପାଇଁ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ପରେ ଲୋକେ ଦୀର୍ଘ ୩ ଘଣ୍ଟା ପରେ ରାସ୍ତାରୋକ ଆନ୍ଦୋଳନରୁ ହଟିଥିଲେ। ମାତ୍ର ଭୋଟ ବର୍ଜ୍ଜନ ନିଷ୍ପତିକୁ ଗାଁ ଲୋକେ ବଳବତ୍ତର ରଖିବା ପାଇଁ ତହସିଲଦାରଙ୍କୁ ଶୁଣାଇବା ସହିତ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ତହସିଲ ଅଫିସ ଆଗରେ ଧାରଣା ଦେବାକୁ ଧମକ ଦେଇଥିଲେ। ଗାଁ ଲୋକଙ୍କ ଭୋଟ ବର୍ଜ୍ଜନ ନିଷ୍ପତି ଶୁଣିବା ପରେ ତାଙ୍କୁ ମନଇବା ପାଇଁ କିଛି ରାଜନୈତିକ ଦଳର ଲୋକ ସେଠାରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା ଚଳାଇଥିବା ଜଣାପଡିଛି।

ସୂଚନା ଥାଉକି, ସ୍ୱାଧୀନତାର ବହୁବର୍ଷ ପରେ ମଧ୍ୟ ଆଡେଣିଗଡ ପଂଚାୟତର ଏହି ୪ ଗାଁକୁ ପଂଚାୟତ ସଦରମହକୁମାରୁ ସଂଯୋଗ କରୁଥିବା ଦୀର୍ଘ ୧୦ କି.ମି ରାସ୍ତା ପାହାଡ, ପର୍ବତଘେରା ହୋଇଥିବାରୁ ଆଜି ବି ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

Comments are closed.