ଫୁଟ୍ ଓଭରବ୍ରିଜ ଖୋଲିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ଫୁଟ ଓଭର୍ବ୍ରିଜ ଖୋଲିବା ଦାବିରେ ଶନିବାର ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦାବିନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ କର୍ତ୍ତୃପକ୍ଷ କୌଣସି ଗୁରୁତ୍ବ ନ ଦେବାରୁ ଛାତ୍ରଛାତ୍ରୀମାନେ ଚାଲିଚାଲି ଉପଜିଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ସେଠାରେ ଅସନ୍ତୋଷ ଜାହିର କରିଥିଲେ।
ସେମାନଙ୍କ ଅଭିଯୋଗ ହେଲା, ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିଲେ ମଧ୍ୟ ଶ୍ରେଣୀ ଗୃହ ଅଭାବରୁ ଅଧିକାଂଶ ଶ୍ରେଣୀ ଖଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଉଭୟ ଶିକ୍ଷାନୁଷ୍ଠାନ ମଝିରେ ରାସ୍ତା ଯାଇଛି। ଏଣୁ ରାସ୍ତା ଉପରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ହୋଇଛି। କିନ୍ତୁ ଅନେକ ବର୍ଷ ହେଲା ଏହି ଓଭର୍ବ୍ରିଜ ବନ୍ଦ ରହିଛି। ଫଳରେ ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀମାନେ ରାସ୍ତା ପାର କରୁଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏନେଇ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ ଓଭରବ୍ରିଜ ଖୋଲିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ବିନୋଦ ବେହେରାଙ୍କ ସହ ସେମାନେ ଆଲୋଚନା କରିଥିଲେ। ଏସଂପର୍କରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଦାବିକୁ ସମର୍ଥନ ଜଣାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପଦାଧିକାରୀମାନେ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ।