ଅଙ୍ଗନୱାଡି କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର

ନବରଙ୍ଗପୁର : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ୍‍ ଆସୋସିଏସନ, ନବରଙ୍ଗପୁର ବ୍ଳକ ପକ୍ଷରୁ ଏକ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ବିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।  ଅଙ୍ଗନୱାଡି କର୍ମଚାରୀ ସହାୟିକାଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ    ଅଙ୍ଗନୱାଡି କର୍ମୀଙ୍କୁ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ପ୍ରଦାନ, ସମସ୍ତ ସୁପର ଭାଇଜର ପଦବୀ କେବଳ ଅଙ୍ଗନୱାଡିକର୍ମୀଙ୍କୁ ପଦୋନ୍ନତି ଦେଇ ପୂରଣ କରିବା ଅଙ୍ଗନୱାଡି କର୍ମୀ ଚୟନରେ ପୂର୍ବଭଳି ଆଦିବାସୀ, ହରିଜନ ଓ ସାଧାରଣ ବର୍ଗ ତଥା ଗରୀବ ଶ୍ରେଣୀର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବା, ନୂତନ ଖାଦ୍ୟ ତାଲିକାରେ ମୂଲ୍ୟବୃଦ୍ଧି ସହ ବଜାର ଦର ଅନୁସାରେ ଅଣ୍ଡାଦର ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆୟୁଷମାନ ଭାରତ ଯୋଜନା ପ୍ରଭୃତି ଅନ୍ୟ ରାଜ୍ୟରେ ଲାଗୁ କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ତୁରନ୍ତ ଲାଗୁକରିବା,ଗ୍ରୀଷ୍ଣ ଦିନରେ ଏକ ମାସ ଛୁଟି ପ୍ରଦାନ କରିବା, ଅବସର ପ୍ରାପ୍ତ କର୍ମୀ ଓ ସହାୟିକାକୁ ଗ୍ରାଚ୍ୟୁଇଟି ବାବଦକୁ ୨ଲକ୍ଷ ଟଙ୍କା ପ୍ରଦାନକରିବା, ଏହାସହିତ ୩୦୦୦ ଟଙ୍କା ମାସିକ ଭତ୍ତା ପ୍ରଦାନ କରିବା, କାର୍ଯ୍ୟରତ ସମୟରେ କର୍ମୀର ମୃତ୍ୟୁ ହେଲେ ୩ଲକ୍ଷ ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁହେଲେ ୬ଲକ୍ଷଟଙ୍କା ପ୍ରଦାନ କରିବା,କାର୍ଯ୍ୟରତ କର୍ମୀଙ୍କର ମୃତ୍ୟୁ ହେଲେ ତାଙ୍କର ପରିବାର ଲୋକଙ୍କୁ ଚାକିରୀ ଓ ସମସ୍ତ କେନ୍ଦ୍ରରେ ରନ୍ଧନ ଗ୍ୟାସ ପ୍ରଦାନ କରିବାକୁ ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଘର ସଭାନେତ୍ରୀ ସୁମିତ୍ରା ମାଝୀ ଓ ସମ୍ପାଦିକା ପ୍ରତିମା ଭତରା ନେତୃତ୍ୱ ନେଇଥିବାବେଳେ ରାଜ୍ୟ ଉପସଭା ନେତ୍ରୀ ସବିତା ନାୟକ,ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ, ଅଙ୍ଗନବାଡି ସଂଘର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଜିଲା ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, ଜିଲା କୃଷି ଗ୍ରାମୀଣ ମଜଦୂର ସଂଘର ଜିଲା ସମ୍ପାଦକ ଅକ୍ଷୟ ଚରଣ ବିଷୋୟୀ ପ୍ରମୂଖ ସମେତ ସମସ୍ତ କେନ୍ଦ୍ରର ଅଙ୍ଗନାବଡୀ କର୍ମୀ, ମିନି ଅଙ୍ଗନବାଡୀ କମୀ ଓ ସହାୟିକା ଯୋଗଦେଇଥିଲେ।

Comments are closed.