ଆଜି ଓଡ଼ିଶା ବନ୍ଦ, ସୁରକ୍ଷା କଡ଼ାକଡ଼ି

ପୁରୀ: ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ଦଳର ନେତାମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବସ୍‌, ଟ୍ରେନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯିବ ବୋଲି ବାମପନ୍ଥୀ ନେତା ସୂଚନା ଦେଇଛନ୍ତି। ସିପିଆଇଏମ୍‌ ଜିଲା ସମ୍ପାଦକ ଶରତ କୁମାର ରାୟଗୁରୁ, ସିପିଆଇ ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି, ଫରୱାର୍ଡ ବ୍ଲକର ଜିତେନ୍ଦ୍ରୀୟ ବେହେରା, ସିପିଆଇ (ଏମ୍‌ଏଲ୍‌) ଲିବରେସନ ସମ୍ପାଦକ ଅଶୋକ କୁମାର ପ୍ରଧାନ ଏବଂ ଜଗନ୍ନାଥ ଦେଓଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମୋଦି ସରକାରଙ୍କ ଅପାରଗତା ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଅହେତୁକ ଦରବୃଦ୍ଧି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କାରେ ପହଞ୍ଚିଥିବା ବେଳେ ରନ୍ଧନ ଗ୍ୟାସ ୪ଶହ ଟଙ୍କାରୁ ୮୫୦ଟଙ୍କାକୁ ବୃଦ୍ଧି ପାଇଛି। ଖାଇବା ତେଲ ଦର ୬ମାସରେ ୪ଥର ବୃଦ୍ଧି ପାଇବା ସହ ୨ଶହ ଟଙ୍କା ଛୁଇଁବାକୁ ବସିଛି। ସେହିପରି ଡାଲି, ଚିନି, ସୁଜି. ଅଟା, ଘିଅ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଉପରେ ଅତ୍ୟଧିକ କରଧାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସିପିଆଇଏମ୍‌ ପକ୍ଷରୁ କୁହାଯାଇଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ଦିନମଜୁରିଆ ଶ୍ରମିକଙ୍କ ସମେତ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ଚାକିରିଆମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଉଲେଖ କରିଛନ୍ତି।

ଓଡ଼ିଶା ବନ୍ଦ ସମୟରେ ଜିଲା​‌ର କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ ଦଳ ନିୟୋଜିତ କରାଯାଇଛି। ପୁଲିସ ପାଟ୍ରୋଲିଂ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡା ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସକୁ ସଜାଗ କରାଯାଇଛି।

Comments are closed.